ଆହୁରି ସପ୍ତାହେ ବଢିବ ଲକଡାଉନ୍ ! ଆଜି ବଡ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 25, 2021 IST

ନୂଆଦିଲ୍ଲୀ, ୨୫।୦୪: ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦୈନିକ ୩ ଲକ୍ଷରୁ ଢେର୍ ଅଧିକ କୋଭିଡ୍ ପଜିଟିଭ୍ ବାହାରୁଛନ୍ତି । ଏହାମଧ୍ୟରେ ଅନେକ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ କରାଯାଇଛି । ତେବେ ଦିଲ୍ଲୀରେ ଲକଡାଉନ୍ ଆଉ ୭ ଦିନ ବଢାଇବାକୁ ବିଚାର କରୁଛନ୍ତି ଦିଲ୍ଲୀ ସରକାର । ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ବଢାଇବାକୁ ଚିନ୍ତା କରୁଛନ୍ତି । ଏନେଇ ରବିବାର ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ସୂଚନାନୁସାରେ, ଦିଲ୍ଲୀରେ ପଜିଟିଭିଟି ରେଟ୍ ୩୨ ପ୍ରତିଶତ ରହିଛି । ଏହାସହ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି । ଏହାକୁ ନଜରରେ ରଖି ସରକାର ଲକଡାଉନ୍ ବଢାଇବାକୁ ଚିନ୍ତା କରୁଛନ୍ତି । କାରଣ ଲକଡାଉନ୍ ଛଡା ସଂକ୍ରମଣ ରୋକିବାକୁ ଅନ୍ୟକୌଣସି ବିକଳ୍ପ ନାହିଁ ।

ସୂଚନାଯୋଗ୍ୟ, ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଥିଲା । ଯାହାର ଅବଦ୍ଧି ଏପ୍ରିଲ ୨୬ ତାରିଖ ସକାଳ ୫ଟାରେ ଶେଷ ହେବାକୁ ଯାଉଛି । ରବିବାର ଦିଲ୍ଲୀ ସରକାର ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ।

ଦିଲ୍ଲୀରେ ଶନିବାର ୨୪୧୦୩ଟି ମାମଲା ସାମ୍ନାକୁ ଆସିଛି । ଏହାସହ ୩୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହା ଏବେସୁଦ୍ଧା ସବୁଠାରୁ ବଡ ସଂଖ୍ୟା ଅଟେ । କେବଳ ଏତିକି ନୁହେଁ ଦିଲ୍ଲୀରେ ପଜିଟିଭିଟି ରେଟ୍ ୩୨.୨୭ ପ୍ରତିଶତ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.