ଆସନ୍ତା ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହେବ ଟୋକିଓ ଅଲମ୍ପିକ, ନୂଆ ତାରିଖ ଘୋଷଣା କଲା ଆଇଓସି
30/03/2020 at 6:24 PM

ଟୋକିଓ, ୩୦|୦୩: କରୋନା ଭାଇରସ କାରଣରୁ ଟୋକିଓ ଅଲମ୍ପିକର ଆୟୋଜନକୁ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ତାରିଖ ବାବଦରେ ଘୋଷଣା କରାଯାଇଛି । ଇଣ୍ଟରନ୍ୟାଶନାଲ ଅଲମ୍ପିକ କମିଟି ବା ଆଇଓସିର ସୂଚନାନୁସାରେ ଏହି ଟୁର୍ଣ୍ଣାମେଣ୍ଟ ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ । ଏହି ଖେଳ ଅଗଷ୍ଟ ୮, ୨୦୨୧ ଯାଏଁ ଚାଲିବ । ସେହିପରି ପାରା ଅଲମ୍ପିକ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ଯାଏଁ ଅନୁଷ୍ଠିତ ହେବ ।

ଜୁଲାଇ ୨୪ରୁ ଅଗଷ୍ଟ ୯ ଯାଏଁ ହୋଇଥାନ୍ତା ଆୟୋଜନ
ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ଯାଏଁ ଅଲମ୍ପିକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥାନ୍ତା । ଏହି ଖେଳର ମସାଲ କିଛି ଦିନ ପୂର୍ବରୁ ଗ୍ରୀସରୁ ଟୋକିଓ ପହଁଚିଥିଲା ।କିନ୍ତୁ ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ମଧ୍ୟରେ ଅନେକ ବଡ ଦେଶ ଏଥିରେ ଭାଗ ନେବେ ନାହିଁ ବୋଲି ଘୋଷଣା କରିଥିଲେ । ତେଣୁ ଏହାକୁ ମାର୍ଚ୍ଚ ୨୫ ତାରିଖରେ ସ୍ଥଗିତ କରାଯାଇଥିଲା । ଖେଳ ଇତିହାସରେ ପ୍ରଥମ ଥର ପାଇଁ କୌଣସି ମହାମାରୀ ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା।
ଅଲମ୍ପିକର ନୂଆ ତାରିଖ ଘୋଷଣା କରାଯାଇଥିଲେ ମଧ୍ୟ ଏବେବି ଅନେକ ଆଶଙ୍କା ରହିଛି । ଅନ୍ୟ ଦେଶ ଏହି ତାରିଖରେ ସହମତି ପ୍ରକାଶ କରିବେ ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଖେଳର ଆୟୋଜନ ପାଇଁ ଷ୍ଟାଡିୟମ ଉପଲବ୍ଧ ହେବ ନା ନାହିଁ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାସହ ଟିକେଟଧାରକଙ୍କୁ କିପରି ଟଙ୍କା ଫେରସ୍ତ ମିଳିବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲମ୍ପିକ ୨୦୨୦ ନାମରେ ପରିଚିତ ହେବ ।