ପୁରୀରେ ପ୍ରତିଷ୍ଠା ହେବ ୧୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ, ପରିଚାଳନା କରିବ ସମ୍ ହସ୍ପିଟାଲ

Published By : Prameya-News7 Bureau | April 29, 2021 IST

ପୁରୀ ୨୯।୦୪: ପୁରୀରେ ୧୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ । ପିପିପି ମୋଡ୍ ରେ ହେବାକୁ ଥିବା ଏହି ହସ୍ପିଟାଲକୁ ପରିଚାଳନା କରିବ ଆଇ.ଏମ.ଏସ୍. ଆଣ୍ଡ ସମ୍ ହସ୍ପିଟାଲ । ଯେଉଁଥିରେ ୪୦ଟି ଆଇ.ସି.ୟୁ ଏବଂ ୪ଟି ଭେଣ୍ଟିଲେଟର ବେଡ୍ ରହିବ । ପୁରୀରେ ସଂକ୍ରମଣ ବୃଦ୍ଧିକୁ ଦେଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ପୁରୀରେ ପିପିପି ମୋଡ୍‌ରେ ଏହି ଡାକ୍ତରଖାନା ଶ୍ରୀଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲ ପରିସରରେ କାର୍ଯ୍ୟକ୍ଷମ ହେବ । ଏହି ଡାକ୍ତରଖାନାରେ ୧୫୦ ରୋଗୀଙ୍କ ପାଇଁ ବେଡ୍‌ ରହିବ । ପୁରୀରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ଡାକ୍ତରଖାନାରେ ୪୦ଟି ଆଇସିୟୁ ଏବଂ ୪ଟି ଭେଣ୍ଟିଲେଟର ଜରୁରି ଚିକିତ୍ସାରେ ବିନିଯୋଗ ହେବ । ଡାକ୍ତରଖାନାରେ ଏକ ହଜାର ଅକ୍ସିଜେନ୍‌ ସିଲିଣ୍ଡର ଷ୍ଟକ ରହିବ । ୫ଟି ଲାଇଭ ସେଭିଂ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ । ବର୍ତ୍ତମାନ ସହରରେ ପୁରୀ ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)ରେ କୋଭିଡ୍‌ ଡାକ୍ତରଖାନା ରହିଛି । ଏହି ଡାକ୍ତରଖାନରେ ସହର ତଥା ଗ୍ରାମାଞ୍ଚଳର କୋଭିଡ୍‌ ରୋଗୀମାନେ ଚିକିତ୍ସା ଲାଭ କରୁଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବା ବେଳେ ପୁରୀ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାରେ ୬୫ଟି କେନ୍ଦ୍ର ସାର୍ବଜନୀନ ଟିକାକରଣ ପାଇଁ ଖୋଲା ଯାଇଛି । ପ୍ରତିଦିନ ୧୨ ହଜାର ଟିକା ଜିଲ୍ଲାରେ ଚାହିଦା ରହିଛି । କିନ୍ତୁ ଟିକା ଅଭାବରୁ ପାଞ୍ଚ ଦିନ ଧରି ଟିକାକରଣ ଅଭିଯାନ ଅଟକି ରହିଛି । ସହରରେ ଖୋଲିଥିବା ୯ଟି ଟିକା କେନ୍ଦ୍ର ମଧ୍ୟ ଟିକା ଅଭାବରୁ ବନ୍ଦ ରହିଛି । ବର୍ତ୍ତମାନ ଏକ ଲକ୍ଷ ୭୦ ହଜାର ଲୋକଙ୍କୁ ଟିକା ଅଭିଯାନରେ ସାମିଲ କରାଯାଇ ପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.