ବୈଜ୍ଞାନିକଙ୍କ ବଡ଼ ସଫଳତା ! ରେମଡେସିଭିର ଠାରୁ ୨୭.୫ ଗୁଣା ଅଧିକ ପ୍ରଭାବଶାଳୀ ଏହି କୋଭିଡ ଔଷଧ

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭/୦୧: କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। କରୋନା ଟିକା ଆସିସାରିଛି। ଭାରତ ସମେତ ବିଭିନ୍ନ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇସାରିଛି । କିନ୍ତୁ ଏହି ଭାଇରସକୁ ହରାଇବା ପାଇଁ ଆଉ କଣ ସବୁ ଅସ୍ତ୍ରର ବ୍ୟବହାର ହୋଇପାରିବ ସେନେଇ ବୈଜ୍ଞାନିକ ଚିନ୍ତା କରୁଛନ୍ତି। କରୋନାର ଭୟାବହତା ଦେଖିବା ପରେ ପ୍ରଥମେ ଆମେରିକା ରେମଡେସିଭିର ଔଷଧକୁ ଚିକିତ୍ସାରେ ବ୍ୟବାହାର କରିବାକୁ ଅନୁମତି ଦେଇଥିଲା। ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପରେ ବିଶ୍ବର ଅନ୍ୟ ଦେଶରେ ବ୍ୟବହାର ହୋଇଥିଲା ରେମଡେସିଭିର। କିନ୍ତୁ ଏବେ ବୈଜ୍ଞାନିକମାନେ ରେମଡେସିଭିରଠୁ ଅଧିକ ପ୍ରଭାବଶାଳୀ ଔଷଧ ସମ୍ପର୍କରେ ତଥ୍ୟ ପାଇଛନ୍ତି। ଯାହାକି ରେମଡେସିଭିର ଠାରୁ ୨୭.୫ଗୁଣା ଅଧିକ ପ୍ରଭାବଶାଳୀ।

ଆମେରିକା ଓ ଫ୍ରାନ୍ସ ବୈଜ୍ଞାନିକମାନେ ମିଳିତ ଭାବେ ପରୀକ୍ଷା କରିବା ପରେ ଜାଣିବାକୁ ପାଇଛନ୍ତି, ପ୍ଲିଟିଡେପସିନ୍‌ ବା ଆପ୍ଲିଡିନ୍‌ କରୋନା ଭୂତାଣୁକୁ ହରାଇବାରେ ରେମଡେସିଭିରଠାରୁ ଅଧିକ ପ୍ରଭାବଶାଳୀ। ଏନେଇ ସୋମବାର ଜର୍ଣ୍ଣାଲ ସାଇନ୍ସରେ ପ୍ରକାଶ ପାଇଛି। ନ୍ୟୁୟର୍କଳ ଫ୍ରାନ୍ସିସ୍‌କୋ ଏବଂ ପ୍ୟାରିସରେ ଏହି ଔଷଧର ପରୀକ୍ଷା ହୋଇଥିଲା। ମୂଷା ଦେହରେ ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଏହି ପ୍ଲିଟିଡେପସିନ୍‌ ଭୂତାଣୁକୁ ଶରୀରରେ ବାହାର କରିବାରେ ସକ୍ଷମ।

ସ୍ପେନ୍‌ କମ୍ପାନୀ ଫାର୍ମା ମାର ଦ୍ବାରା ବିକଶିତ ପ୍ଲିଟିଡେପସିନ୍‌ର କ୍ଲିନିକାଲ ଟ୍ରାଏଲ କରିବାକୁ ବୈଜ୍ଞାନିକମାନେ ପ୍ରସ୍ତାବ ଦେଇଛନ୍ତି। ଯାହା ହେଉ ନା କାହିଁକି ଏହି ଔଷଧ ଏବେ ବାଣିଜ୍ୟିକ ଭିତ୍ତିରେ ବ୍ୟବହାର ଉପଯୋଗୀ ହୋଇନାହିଁ। ଏହାକୁ ଏବେ କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି। ପ୍ଲିଟିଡେପସିନ୍‌  ସୁରକ୍ଷିତ ଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.