କରୋନା ବିପଦ ଟଳିନି ! ଜାପାନରେ ଚିହ୍ନଟ ହେଲା କୋଭିଡ୍-୧୯ର ଆଉ ଏକ ନୂଆ ଷ୍ଟ୍ରେନ୍

Published By : Prameya-News7 Bureau | January 11, 2021 IST

ଟୋକିଓ,୧୧/ ୦୧:  ଜାପାନରେ କରୋନା ଭାଇରସର ଆଉ ଏକ ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଛି । ବ୍ରାଜିଲରୁ ଜାପାନ ପହଁଚିଥିବା ଯାତ୍ରୀଙ୍କଠାରେ ଏହି ନୂଆ ଷ୍ଟ୍ରେନ୍ ଠାବ ହୋଇଛି । ଏହା ଦକ୍ଷିଣ ଆଫ୍ରିକା ଓ ବ୍ରିଟନରେ ଚିହ୍ନଟ ହୋଇଥିବା ଅଧିକ ସଂକ୍ରାମକ ଷ୍ଟ୍ରେନଠୁ ଭିନ୍ନ ଅଟେ । ଏହା ଉପରେ ବୈଜ୍ଞାନିକମାନେ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି ।

ରୟଟର୍ସ ରିପୋର୍ଟ ଅନୁସାରେ, ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବ୍ରାଜିଲରୁ ଆସିଥିବା ୪ଜଣଙ୍କ ଠାରେ ଏହା ନୂଆ ଷ୍ଟ୍ରେନ୍ ମିଳିଛି । ଜାପାନ ବ୍ରାଜିଲକୁ ଏହି ନୂଆ ଷ୍ଟ୍ରେନ୍ ବାବଦରେ ଜଣାଇ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ମଧ୍ୟ ଏନେଇ ତଥ୍ୟ ପଠାଯାଇଛି ।

ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବାନୁସାରେ, ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ନା ନାହିଁ ସେନେଇ ରିସର୍ଚ୍ଚ ଜାରି ରହିଛି । ଏହି ନୂଆ ଷ୍ଟ୍ରେନରେ ୧୨ଟି ମ୍ୟୁଟେସନ୍ ରହିଛି । ଏଥିରେ ଗୋଟିଏ ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରୁ ଠାବ ହୋଇଛି । କୁହାଯାଉଛି ଯେ, ଜାପାନର ଷ୍ଟ୍ରେନ୍ ମଧ୍ୟ ଅଧିକ ସଂକ୍ରାମକ ହୋଇପାରେ ।

ଜାନୁଆରୀ ୨ ତାରିଖରେ ଟୋକିଓ ବିମାନବନ୍ଦରରେ ବ୍ରାଜିଲରୁ ଆସିଥିବା ଜଣେ ପୁରୁଷ ଯାତ୍ରୀ ଶ୍ୱାସକ୍ରିୟା ବେଳେ କଷ୍ଟ ଅନୁଭବ କରିଥିଲେ । ଏହାପରେ ଜଣେ ମହିଳା ଯାତ୍ରୀଙ୍କ ମୁଣ୍ଡବ୍ୟଥା ଓ ତଣ୍ଟିରେ ଦରଜ ଦେଖା ଦେଇଥିଲା । ଆଉ ଜଣେ ଯାତ୍ରୀଙ୍କୁ ଜ୍ୱର ହୋଇଥିଲା । ୪ଜଣଙ୍କୁ ବିମାନ ବନ୍ଦରରେ ହିଁ କ୍ୱାରେଣ୍ଟାଇନ୍ କରାଯାଇଥିଲା ।

କରୋନା ଭାଇରସର ମାମଲା ବୃଦ୍ଧି ପାଇବା ପରେ ଜାପାନ ସରକାର ରାଜଧାନୀ ଟୋକିଓ ସମେତ ୪ଟି ଅଞ୍ଚଳରେ ଜରୁରୀକାଳିନ ସ୍ଥିତି ଲାଗୁ କରିଛନ୍ତି । ଏବେସୁଦ୍ଧା ଜାପାନରେ କରୋନା ସଂକ୍ରମିତଙ୍କ ମାମଲା ୨ ଲକ୍ଷ ୮୯ ହଜାରରେ ପହଁଚିଥିବା ବେଳେ ପ୍ରାୟ ୪୦୬୦ ଜୀବନ ହାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.