Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଯାଜପୁରରେ ଆଉ ଜଣେ ପଜିଟିଭ୍- ଲିଙ୍କ୍ କୋଲକାତା

5/05/2020 at 8:58 PM

ଭୁବନେଶ୍ୱର, ୦୫|୦୫:  ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଜଣଙ୍କର ଯାଜପୁରର ହୋଇଥିବା ସୂଚନା ମିଲିଛି । ସେ କୋଲକାତାରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ । ସ୍ୱାବ ପରୀକ୍ଷା ପରେ ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି ୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।ଏବେ ସୁଦ୍ଧା ଆଜି ରାଜ୍ୟରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି । ପୂର୍ବରୁ ଅପରାହ୍ନରେ ଆଉ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।ଏହାର କିଛି ସମୟ ପରେ ରାଉରକେଲା ଓ ବାଲେଶ୍ୱରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ଯାଜପୁରର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅପରାହ୍ନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କଟକର ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ଏହାପରେ ରାଉରକେଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୪୯ ହୋଇଥିବା ବେଳେ ସେ କୋଲକାତାରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ ।

ତେବେ କଟକରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସୁରଟ ଲିଙ୍କ୍‌ ରହିଛି । କିଛି ଦିନ ତଳେ ସୁରଟରୁ ଫେରିଥିଲେ । ସେହିପରି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୨ଜଣ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । କିଛି ଦିନ ତଳେ ୨ଜଣ ସଂକ୍ରମିତ ବାଲେଶ୍ୱରରୁ ଫେରିଥିଲେ । ସମସ୍ତଙ୍କ ସ୍ୱାବ ପରୀକ୍ଷଣରେ କରୋନା ପଜିଟିଭ୍‌ ଆସିଛି । ଚିହ୍ନଟ ହୋଇଥିବା ୩କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ଆଜି ସକାଳ ସମୟରେ ରାଜ୍ୟର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଥିଲା । ତେବେ ସକାଳ ସମୟରେ ଚିହ୍ନଟ ହୋଇଥିବା ସଂକ୍ରମିତଜଣଙ୍କ ସୁରଟ ଲିଙ୍କ ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୫ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି । ସେହିପରି ଜଣେ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ସୁସ୍ଥ ହୋଇସାରିଛନ୍ତି ।

   Related Posts