ଅଗଷ୍ଟରେ ରେକର୍ଡ ସଂଖ୍ୟକ କରୋନା ମାମଲା: ଆମେରିକା ବ୍ରାଜିଲ ତୁଳନାରେ ସବୁଠାରୁ ଅଧିକ ମାମଲା ଭାରତରେ

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯/୦୮ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି | ଅଗଷ୍ଟ ମାସରେ ଭାରତର କରୋନା ଗ୍ରାଫ ଦୁନିଆର ସବୁଠାରୁ ବଡ ହଟସ୍ପଟ ହୋଇଛି | ଅଗଷ୍ଟ ମାସରେ କରୋନା ସଂକ୍ରମଣର ସବୁଠାରୁ ଅଧିକ ମାମଲା ଭାରତରେ ଦେଖିବାକୁ ମିଳିଛି | ଦୁନିଆର ମୋଟ ମାମଲା ତୁଳନାରେ ଭାରତ ତୃତୀୟ ସ୍ଥାନରେ ଥିଲେ ସୁଦ୍ଧା ଏହି ମାସରେ ଯେତିକି ମାମଲା ସାମ୍ନାକୁ ଆସିଛି ସେ ହିସାବରେ ସ୍ଥିତି ଭୟଙ୍କର | ନୂଆ ମାମଲାରେ ଭାରତ ବର୍ତ୍ତମାନ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଦେଇଛି |

ଚଳିତ ମାସରେ ସଂକ୍ରମଣ ଗତି ଚିନ୍ତା ବଢ଼ାଇଛି | ନୂଆ ମାମଲା ସହ କରୋନା ଜନିତ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି | ଶୁକ୍ରବାର ଦିନ ଦେଶରେ ୬୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ୯୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି | ଗତ ୬ ଦିନରେ ଦେଶରେ ୩ ଲକ୍ଷ ୨୮ ହଜାର ୯୦୩ ନୂଆ ମାମଲା ରେକର୍ଡ କରାଯାଇଛି | ଏହି ୬ ଦିନରେ ଆମେରିକାରେ ୩ ଲକ୍ଷ ୨୬ ହଜାର ୧୧୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବ୍ରାଜିଲରେ ୨ ଲକ୍ଷ ୫୧ ହଜାର ୨୬୪ ନୂଆ ମାମଲା ରେକର୍ଡ କରାଯାଇଛି | 

ଅଗଷ୍ଟ ମାସର ୬ ଦିନ ମଧ୍ୟରୁ ୪ ଦିନରେ ନୂଆ କରୋନା ରୋଗୀ ସଂଖ୍ୟା ଭାରତରେ ସବୁଠାରୁ ଅଧିକ ରେକର୍ଡ କରାଯାଇଛି | ୧୦ ଲକ୍ଷ ନୂଆ ମାମଲା କେବଳ ୨୧ ଦିନରେ ରେକର୍ଡ କରାଯାଇଛି | ଏହା ପୂର୍ବରୁ ଜୁଲାଇ ୧୬ ତାରିଖରେ ଦେଶରେ ୧୦ ଲକ୍ଷ ସଂକ୍ରମିତ ଥିଲେ |

ଦେଶରେ କରୋନା ଗ୍ରାଫରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଲା ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ | ଶୁକ୍ରବାର ଦିନ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା | ତାଛଡା ବିହାର, ତେଲେଙ୍ଗାନା, ଓଡିଶା, ପଞ୍ଜାବ ଓ ମଣିପୁରରେ ମଧ୍ୟ କରୋନା ମାମଲା ବଢ଼ିବାରେ ଲାଗିଛି |

ୱାର୍ଲଡମିଟର ଅନୁଯାୟୀ, ଶୁକ୍ରବାର ରାତି ୧୧ଟା ୪୫ ମିନିଟ ସୁଦ୍ଧା ଦୁନିଆରେ କରୋନା ଭାଇରସର ୧ କୋଟି ୯୪ ଲକ୍ଷ ମାମଲା ରେକର୍ଡ କରାଯାଇଥିଲା | ଏଥିରୁ ୧ କୋଟି ୭୦ ହଜାର ମାମଲା କେବାର ଭାରତ, ଆମେରିକା ଓ ବ୍ରାଜିଲରେ ରହିଛି | ଅଗଷ୍ଟ ୭ ତାରିଖ ସୁଦ୍ଧା ଦେଶରେ ୨୦ ଲକ୍ଷ ୮୬ ହଜାର, ବ୍ରାଜିଲରେ ୨୯ ଲକ୍ଷ ୩୦ ହଜାର ଓ ଆମେରିକାରେ ୫୦ ଲକ୍ଷ ୫୩ ହଜାର ମାମଲା ରେକର୍ଡ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.