ଚୀନ୍ରେ ପୁଣି ବ୍ୟାପିଲା କରୋନା, ସମସ୍ତ ୭ ପଜିଟିଭ୍ ଫେରିଥିଲେ ବିଦେଶରୁ
12/07/2020 at 10:28 PM

ବେଜିଂ ୧୨।୭: ଚୀନ୍ ସ୍ୱାସ୍ଥ୍ୟ ଆୟୋଗଙ୍କ ସୂଚନା ଅନୁସାରେ ଚାଇନା ମେନ୍ ଲ୍ୟାଣ୍ଡରେ ପୁଣି ୭କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସମସ୍ତ ପଜିଟିଭ୍ ବିଦେଶରୁ ଫେରିବା ପରେ କରୋନା ସଂକ୍ରମିତ ହୋଇଥିବା ଆୟୋଗ କହିଛନ୍ତି। ଜୁଲାଇ ୧୧ ତାରିଖରେ ଶେଷ ୧୧ ଜଣ ସଂକ୍ରମିତଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିଶ୍ଚାର୍ଜ କରାଯାଇଥିଲା। ତେବେ ପୁଣି ନୂଆ ମାମଲା ସ୍ୱାସ୍ଥ୍ୟ ବିଭାକୁ ଚିନ୍ତାରେ ପକାଇଛି।

ଏବେ ଚାଇନା ମେନ୍ ଲ୍ୟାଣ୍ଡରେ ମୋଟ ପୁଷ୍ଟ ମାମଲା ସଂଖ୍ୟା ୩୨୬ରେ ପହଞ୍ଚିଛି। ସେହିପରି ଚିକିତ୍ସକୀୟ ନଜରରେ ରହିଥିବା ଲୋକଙ୍କ ସଂଖ୍ୟା ୩ହଜାର ୭୩୯ ରହିଛି। ଏମାନଙ୍କ ମଧ୍ୟରୁ ୨୩୫ ଜଣଙ୍କୁ ଡିଶ୍ଚାର୍ଜ କରାଯାଇଛି। ତେବେ ଦେଶରେ ଏବେ ସନ୍ଦିଗ୍ଧ ଓ ମୃତ୍ୟୁର ଗୋଟିଏ ବି ରିପୋର୍ଟ ନଥିବା ଆୟୋଗ ସୂଚିତ କରିଛନ୍ତି। ୭୮ ହଜାର ୬୩୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ ମୋଟ ମାମଲା ସଂଖ୍ୟା ୮୩ ହଜାର ୫୯୪ ବୋଲି କୁହାଯାଇଛି।

ଦେଶରେ ସଂକ୍ରମଣ ଆରମ୍ଭ ଠାରୁ ଏପର୍ଯ୍ୟନ୍ତ ମୋଟ ୪ ହଜାର ୬୩୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଚୀନ୍ ସ୍ୱାସ୍ଥ୍ୟ କମିଶନ କହିଛନ୍ତି। ତେବେ ହଙ୍ଗକଙ୍ଗ, ମକାଓ ଏବଂ ତାଇୱାନରୁ ୧ ହଜାର ୯୨୮ଟି ପଜିଟିଭ୍ ମାମଲା ଥିବାର କୁହାଯାଇଛି। ଚୀନରେ ପରିସ୍ଥିତି ସମ୍ପୂର୍ଣ୍ଣ ସୁଧୁରୁଥିବା ବେଳେ ଫେରୁଥିବା ଲୋକେ ଏବେ ଚିନ୍ତାର କାରଣ ପାଲଟିଥିବା କୁହାଯାଇଛି।