ଗ୍ରାହକଙ୍କୁ ଠକିବା ଏବେ ପଡିବ ମହଙ୍ଗା, ଦେଶରେ ସୋମବାର ଲାଗୁହେବ ନୂଆ ଉପଭୋକ୍ତା ଆଇନ

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯।୭: କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ ସାରା ଦେଶରେ ଜୁଲାଇ ୨୦ ତାରିଖରୁ ଲାଗୁ ହେବ। ଆଇନର ପ୍ରାବଧାନ ଅନୁସାରେ ଗ୍ରାହକଙ୍କୁ ଭ୍ରମିତ କରିବା ଭଳି ବିଜ୍ଞାପନ ପ୍ରସାରଣ ଏବେ କମ୍ପାନୀଙ୍କ ଲାଗି ମହଙ୍ଗା ହେବ। ଯଦି କୌଣସି ବିଜ୍ଞାପନ ତ୍ରୁଟିପୁର୍ଣ୍ଣ ପ୍ରମାଣିତ ହୁଏତ ଏଥିଲାଗି ଏଭଳି ବିଜ୍ଞାପନ ପ୍ରସାରଣ କରିଥିବା ସଂସ୍ଥାର ମୁଖ୍ୟଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ।

ନୂଆ ନିୟମ ଅନୁସାରେ ଏବେ ଗ୍ରାହକ ଯେଉଁଠାରେ ଅବସ୍ଥାନ କରୁଛନ୍ତି ସେହି ସ୍ଥାନରେ ତାଙ୍କୁ ଅଭିଯୋଗ କରିବାର ସୁବିଧା ମିଳିବ। ଏହା ପୂର୍ବରୁ ଗ୍ରାହକ ଯେଉଁଠାରୁ ସାମଗ୍ରୀ କ୍ରୟ କରୁଥିଲେ ସେହି ସ୍ଥାନକୁ ଯାଇ ସେଠାକାର କଞ୍ଜ୍ୟୁମର କୋର୍ଟରେ ଅପିଲ କରୁଥିଲେ। ଏହି ନୂଆ ଆଇନି ୧୯୮୬ ଗ୍ରାହକ ସୁରକ୍ଷା ଆଇନର ସ୍ଥାନ ନେବ। ଏହି ଆଇନ କାର୍ଯ୍ୟକାରୀ ହେବା ନେଇ କେନ୍ଦ୍ର ଉପଭୋକ୍ତା, ଖାଦ୍ୟ ଓ ସାର୍ବଜନିକ ବିତରଣ ମନ୍ତ୍ରୀ ରାମବିଲାଶ ପାଶ୍ୱାନ ତାଙ୍କ ଟ୍ୱିଟ୍‌ ରେ ପୋଷ୍ଟ କରି ସୂଚିତ କରିଦେଇଛନ୍ତି।

ନୂଆ ଆଇନରେ ଗ୍ରାହକ ଏବେ ବିକ୍ରେତା ଓ ନିର୍ମାତାଙ୍କୁ କୋର୍ଟକୁ ଘୋଷାଡି ପାରିବେ। ସେହିପରି ଉପଭୋକ୍ତା ଫୋରମରେ ଅଭିଯୋଗ କରି କ୍ଷତିପୂରଣ ଦାବି ମଧ୍ୟ କରିପାରିବେ। ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ ବିକ୍ରେତା ଓ ନିର୍ମାତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବି କରାଯାଇପାରେ। ଆବଶ୍ୟକ ସ୍ଥଳେ ୬ ମାସ ଜେଲ ଦଣ୍ଡ ମଧ୍ୟ ହୋଇପାରେ।

ସାରା ଦେଶରେ ଉପଭୋକ୍ତା ସମ୍ପର୍କିତ ମାମଲା ଗୁଡିକର ତ୍ୱରିତ ବିଚାର ଲାଗି ମଧ୍ୟ ଏହି ଆଇନରେ ବ୍ୟବସ୍ଥା ରହିଛି। ଏଣୁ ଦୀର୍ଘ ଦିନରୁ ବିଚାର ଅପେକ୍ଷାରେ ପଡି ରହିଥିବା ମାମଲାଗୁଡିକର ମଧ୍ୟ ଏବେ ସମାଧାନ ସମ୍ଭବ ହେବ ବୋଲି ଆଶା କରାଯାଉଛି। ୨୪ ଡିସେମ୍ବର ୧୯୮୬ରେ ଦେଶରେ ପ୍ରଥମ ଥର ଗ୍ରହାକ ଆଇନ କାର୍ଯ୍ୟକାରୀ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.