ମନ୍ଦିର ବେଢାରେ ରଥଯାତ୍ରା... ହେବ କିପରି ? ଛତିଶାନିଯୋଗ ବୈଠକ ପରେ ନୂଆ ଦ୍ବନ୍ଦ୍ବ

Published By : Prameya-News7 Bureau | June 20, 2020 IST

ପୁରୀ ୨୦।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏବର୍ଷ ବନ୍ଦ ହେବ ବୋଲି ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଲେ । ଏହାପରେ ରାଜ୍ୟ କ୍ୟାବିନେଟ୍‌ କୋର୍ଟ ରାୟକୁ ଗ୍ରହଣ କରିବା ସହ ଶ୍ରୀମନ୍ଦିର ଭିତରେ ସବୁ ରୀତିନୀତି କରିବାକୁ ଘୋଷଣା କରିଥିଲେ । କିନ୍ତୁ ଶୁକ୍ରବାର ରାତିରେ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ପରେ ନୂଆ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବଡ଼ଦେଉଳ ବେଢ଼ା ଭିତରେ କିପରି ବିଧି ରକ୍ଷା ହେବ ସେ ସମ୍ପର୍କରେ ବିକଳ୍ପ ପନ୍ଥା ବାହାରି ପାରିନାହିଁ । ଶ୍ରୀମନ୍ଦିର ବାହାରେ ରଥଯାତ୍ରା କରିବା ସପକ୍ଷରେ ନିଯୋଗ ମତ ଦେଇଛି । ଆଉ ଦୁଇଦିନ ଅପେକ୍ଷା କରିବା ପାଇଁ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ସେପଟେ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଯେଉଁ ୫ଟି ରିଭ୍ୟୁ ପିଟିସନ୍‌ ଦାଖଲ କରାଯାଇଛି ତନ୍ମଧ୍ୟରେ ଦୁଇଟିର ଆବେଦନକାରୀ ଅଛନ୍ତି ଶ୍ରୀମନ୍ଦିର ନିଯୋଗ । ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଗୋଟିଏ ମାମଲା ରୁଜୁ କରିଥିଲାବେଳେ ଅନ୍ୟ ମାମଲାର ଆବେଦନକାରୀ ଅଛନ୍ତି ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ର ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ଯେଉଁ ମତ ଦେଇଥିଲେ ଆଜି ତାହାକୁ ବଦଳାଇ ଦେଇଛନ୍ତି । ସରକାର ଆମ ଭାବନାକୁ ବୁଝିପାରିଲେ ନାହିଁ ବୋଲି ଗଜପତି ଛତିଶା ନିଯୋଗ ବୈଠକ ପରେ କହିଛନ୍ତି । ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ବିଧି ରକ୍ଷା ଲାଗି ବିକଳ୍ପ ନୀତି ଖୋଜା ଚାଲିଛି । ବିଶ୍ୱର ଏହି ବୃହତ୍‌ ଧାର୍ମିକ ପର୍ବର ପରମ୍ପରା କିପରି ବଜାୟ ରହିପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଚାର ବିମର୍ଶ ଆରମ୍ଭ କରିଛି । ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟର ସମୀକ୍ଷା କରନ୍ତୁ । ଏହି ମତ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

ବର୍ତ୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣ ରୋକିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାହାକୁ ଶଙ୍କରାଚାର୍ଯ୍ୟ ସମର୍ଥନ କରିଛନ୍ତି । କିନ୍ତୁ ରଥଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ଠିକ୍‌ ନୁହେଁ । ସେ କହିଛନ୍ତି ଯେ, ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିରାଜମାନ କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇପାରନ୍ତି । ରଥଯାତ୍ରାରେ ସାଧାରଣ ଭକ୍ତଙ୍କ ସମାଗମ ନିଷିଦ୍ଧ ହେଉ । ସୀମିତ ସଂଖ୍ୟକ ସେବାୟତ ଓ ପୁଲିସ ଫୋର୍ସଙ୍କୁ ନେଇ ରଥଯାତ୍ରା ଆୟୋଜନ କରାଯାଉ । ଭକ୍ତମାନଙ୍କ ନିମନ୍ତେ ଏହି ପବିତ୍ର ଉତ୍ସବର ସିଧାପ୍ରସାରଣ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ।

ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପରେ ଭକ୍ତ ମହଲରେ ନିରାଶା ଖେଳିଯାଇଛି । ଏହା କ୍ଷୋଭ ଓ କ୍ରୋଧରେ ରୂପାନ୍ତରିତ ହୋଇଛି । ରାୟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ନୀଳାଦ୍ରି ଭକ୍ତ ନିବାସରେ ଭିଡିଓ କନଫେରେନ୍ସିଂ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ବିଧି ଶ୍ରୀମନ୍ଦିର ଭିତରେ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ସୁନାବେଶ, ଅଧରପଣା ତଥା ନୀଳାଦ୍ରି ବିଜେ ନୀତି ଆଦି ପରମ୍ପରା ହେବ ନାହିଁ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ବାହାରକୁ ଯାଇ ବଡ଼ଦେଉଳ ଭିତରେ ରଥଯାତ୍ରା ବିଧି ପାଳନ କରାଯିବ । ରଥଯାତ୍ରା ବିଧି ସମ୍ପର୍କରେ ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ମତାମତ ନିଆଯିବ । ପୂର୍ବରୁ ରାଜଗୁରୁ ତଥା ଗଜପତି ମହାରାଜା ଏହି ପ୍ରସଙ୍ଗରେ ମାର୍ଗଦର୍ଶନ ଦେଉଥିଲେ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଏବେ ପରାମର୍ଶ ନିଆଯିବ । ବୈଠକରେ ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସହ ବରିଷ୍ଠ ସେବାୟତ ସଦସ୍ୟମାନେ ଯୋଗ ଦେଇଥିଲେ ।

ତଦନୁସାରେ ଶୁକ୍ରବାର ରାତିରେ ନୀଳାଦ୍ରି ଭକ୍ତ ନିବାସଠାରେ ଛତିଶା ନିଯୋଗ କର୍ମକର୍ତ୍ତା ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟଙ୍କ ବୈଠକ ଡକାଯାଇଥିଲା । ବୈଠକରେ ସୂଚନା ଦିଆଯାଇଥିଲା ରଥଯାତ୍ରା ପାଳନ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ସରକାରୀ ଅନୁପାଳନ ହୋଇନାହିଁ । କୋଭିଡ୍‌ ଭୂତାଣୁ ସଂକ୍ରମଣ ଯୋଗୁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକ ଏହି ରାୟକୁ ଗ୍ରହଣ କରିଛି । ଏହି କାରଣରୁ ପୁନଃବିଚାର ମାମଲା ରୁଜୁ ହୋଇପାରିବ ନାହିଁ । ଏହି ସ୍ଥିତିକୁ ବିଚାର କରି ପରିଚାଳନା କମିଟି ନିଷ୍ପତ୍ତି ନେଇଛି ବଡ଼ଦେଉଳ ଭିତରେ କେବଳ ରଥଯାତ୍ରା ବିଧି ପାଳନ ହେବ ।

ଏହି ନିଷ୍ପତ୍ତି ଉପରେ ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ଠାରୁ ମତାମତ ନିଆଯାଇଥିଲା । ବୈଠକରେ ଛତିଶା ନିଯୋଗ ଦାବି କରିଥିଲା ରାଜ୍ୟ ସରକାର ସୁପ୍ରିମକୋର୍ଟ ରାୟ ଉପରେ ପୁନଃବିଚାର ଆବେଦନ କରନ୍ତୁ । ସଭାରେ ଉପସ୍ଥିତ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜା ଦିବ୍ୟସିଂହ ଦେବ, କାର୍ଯ୍ୟକାରୀ ସଭାପତି ସୁରେଶ ମହାପାତ୍ର, ପୁରୀ ଏସ୍‌ପି ଉମାଶଙ୍କର ଦାଶ ମଧ୍ୟ ଏହି ଦାବିରେ ସହମତି ପ୍ରକାଶ କରିଥିଲେ । ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଶ୍ନ ଉଠିଥିଲା ବଡ଼ଦେଉଳ ଭିତରେ କେମିତି ପାଳନ ହେବ ରଥଯାତ୍ରା ବିଧି?

ଶ୍ରୀମନ୍ଦିର ଭିତରେ କେଉଁ ରୀତିନୀତି ଆଧାରରେ ବିଧି ପାଳନ ହେବ ତାହା ନେଇ ପ୍ରଶାସନ ପ୍ରତ୍ୟେକ ନିଯୋଗ କର୍ମକର୍ତ୍ତାଙ୍କ ଠାରୁ ମତାମତ ଲୋଡ଼ିଥିଲେ । ବୈଠକରେ ଶ୍ରୀମନ୍ଦିର ଭିତରେ ରଥଯାତ୍ରା ବିଧି ପାଳନ ସମ୍ପର୍କରେ କୌଣସି ନିଯୋଗ ସ୍ପଷ୍ଟ ମତ ଦେଇ ନଥିଲେ । ନିଯୋଗ କର୍ମକର୍ତ୍ତାମାନେ ପାଲଟା ପ୍ରଶ୍ନ କରିଥିଲେ ଗଜପତି, ପ୍ରଶାସନ କହନ୍ତୁ କେମିତି ବଡ଼ଦେଉଳ ଭିତରେ ରଥଯାତ୍ରା ବିଧି ପାଳନ କରିବାକୁ ଚାହୁଁଛନ୍ତି । ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା । ସଭାର ବାଦବିବାଦ ଭିତରେ ଉଚ୍ଚବାଚ ବି ହୋଇଥିଲା । ବୈଠକରେ କିନ୍ତୁ କୌଣସି ନିର୍ଯ୍ୟାସ ବା ସହମତି ଛତିଶା ନିଯୋଗରୁ ମିଳି ପାରିନଥିଲା ।

ଶେଷରେ ନିଷ୍ପତ୍ତି ହୋଇଥିଲା ସୋମବାର ପର୍ଯ୍ୟନ୍ତ ଅଦାଲତ ଆଦେଶକୁ ଅପେକ୍ଷା କରାଯିବ । ଅଦାଲତଙ୍କ ରାୟ ଉପରେ ସେହିଦିନ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ । ଏହି କାରଣରୁ ଆସନ୍ତାକାଲି ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.