ବିସିସିଆଇର ବଡ଼ ନିଷ୍ପତ୍ତି: ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ମିଳିବେ ନୂଆ କୋଚ୍‌

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨/୧୦: ଭାରତୀୟ କ୍ରିକେଟ କଂଟ୍ରୋଲ୍‌ ବୋର୍ଡ (ବିସିସିଆଇ) ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଦେଇଛି। ବର୍ତ୍ତମାନର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ବକପ୍‌ ପରେ ସାମପ୍ତ ହେବାକୁ ଯାଉଛି। ତେଣୁ ଚଳିତ ସପ୍ତାହ ଶେଷ ସୁଦ୍ଧା ନୂଆ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରିପାରେ ବୋର୍ଡ।

ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ନୂଆ କୋଚ୍‌

ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଟି-୨୦ ବିଶ୍ବକପ୍‌ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆମେ ସିରିଜ୍‌ ଖେଳିବୁ। ଏହା ପୂର୍ବରୁ ଆମେ ନୂଆ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ ଖୋଜି ଦେଇଥିବୁ । ଆମେ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ପ୍ରଶିକ୍ଷକ ହେବାକୁ ଥିବା ସର୍ତ୍ତ ଏବଂ ଜରୁରୀ ଯୋଗ୍ୟତା ଧାର୍ଯ୍ୟ କରିସାରିଛୁ। ଟି-୨୦ ବିଶ୍ବକପ୍‌ ପରେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌ ଦୁଇଟି ଟି-୨୦ ଏବଂ ୩ଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବାକୁ ଭାରତ ଆସିବ। କିଓ୍ବି ଟିମ୍‌ ନଭେମ୍ବର ୧୭ ରୁ ଡିସେମ୍ବର ୭ ଯାଏ ଭାରତରେ ରହିବ।

କେଉଁ ସବୁ ନାଁ ଉପରେ ହେଉଛି ଚର୍ଚ୍ଚା ?

ଇସ୍ତଫା ନେଇ ବୋର୍ଡକୁ ସୂଚନା ଦେଇସାରିଛନ୍ତି ଶାସ୍ତ୍ରୀ। ଦକ୍ଷିଣ ଆଫ୍ରିକା ଗସ୍ତ ପର୍ଯ୍ୟନ୍ତ କୋଚ୍‌ ରିହିବାକୁ ତାଙ୍କୁ ବୋର୍ଡ ମଧ୍ୟ କହିଥିଲା। କିନ୍ତୁ ସେ ମନା କରିଦେଇଥିଲେ। ସେ ଦ୍ବିତୀୟ ଥର ପାଇଁ ମଧ୍ୟ ମୁଖ୍ୟ କୋଚ ପାଇଁ ଆବେଦନ କରିବେ ନାହିଁ। ଏହା ସହ ବିସିସିଆଇ ବୋଲିଂ କୋଚ୍‌ ଭରତ ଅରୁଣ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଏବଂ ବାକି ଷ୍ଟାଫଙ୍କୁ ହଟାଇବାକୁ କହିସାରିଛି । ଏମିତିରେ ମୁଖ୍ୟ କୋଚ୍‌ ରେସ୍‌ରେ ଭିଭିଏସ୍‌ ଲକ୍ଷ୍ମଣ, ମହେଲା ଜୟବର୍ଦ୍ଧନେ ଏବଂ ଟମ୍‌ ମୁଡି ସବୁଠୁ ଆଗରେ ରହିଛି। ରାହୁଲ ଦ୍ରାବିଡ୍‌ ପ୍ରଥମରୁ ହିଁ ଦାୟିତ୍ବ ନେବାକୁ ମନା କରିସାରିଛନ୍ତି।

କିନ୍ତୁ ପୂର୍ବତନ କ୍ରିକେଟର ପୁଣି ଥରେ ନ୍ୟାସନାଲ୍‌ କ୍ରିକେଟ୍‌ ଆକାଡେମିର ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିଛନ୍ତି। ଅନ୍ୟପଟେ ଅନିଲ କୁମ୍ବଲେଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। କିନ୍ତୁ ପଞ୍ଜାବ କିଙ୍ଗସର ପ୍ରଦର୍ଶନକୁ ଦେଖିଲେ ତାଙ୍କ ଉପରେ ମୋହର ଲାଗିବା ମୁସ୍କିଲ। ତେବେ ଏହି ସମୟରେ କିଏ କୋଚ୍‌ ପାଇଁ ଆବେଦନ କରୁଛନ୍ତି ଦେଖିବାକୁ ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.