ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ସମ୍ମୁଖରେ ବହୁ ଆହ୍ୱାନ

Published By : Prameya-News7 Bureau | October 03, 2018 IST

ନୂଆଦିଲ୍ଲୀ ୩/୧୦ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଅବସର ଗ୍ରହଣ କରିବା ପରେ ଆଜି ବରିଷ୍ଠତା ଭିତ୍ତିରେ ମୁଖ୍ୟ ବିଚାରପତି ପଦରେ ଅଭିଭକ୍ତ ହୋଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ | ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା କ୍ଷେତ୍ରରେ ଦେଶର ପୂର୍ବାଂଚଳ ରାଜ୍ୟର ପ୍ରଥମ ବ୍ୟକ୍ତି ହେଉଛନ୍ତି ରଞ୍ଜନ ଗୋଗୋଇ | ସେ ସୁପ୍ରିମକୋର୍ଟର ୪୬ତମ ମୁଖ୍ୟ ବିଚାରପତି ହୋଇଛନ୍ତି | ମୁଖ୍ୟ ବିଚାରପତି ଭାବେ ଆଜିଠାରୁ ନିଜ କାର୍ଯ୍ୟକାଳ ଆରମ୍ଭ କରିଥିବା ରଞ୍ଜନ ଗୋଗେଇଙ୍କ ସମ୍ମୁଖରେ କେତେକ ବଡ ଆହ୍ୱାନ ରହିଛି ; ଯାହା ଉପରେ ମଧ୍ୟ ସମଗ୍ର ଦେଶବାସୀଙ୍କ ନଜର ରହିଛି | ଜଷ୍ଟିସ ରଞ୍ଜନ ଗୋଗେଇ ମୁଖ୍ୟ ବିଚାରପତି ପଦବୀକୁ ଉନ୍ନୀତ ହେବା ପୂର୍ବରୁ ଦୀର୍ଘ ୬ ବର୍ଷ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି | ଏହି ୬ବର୍ଷ ମଧ୍ୟରେ ସେ ବହୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ରାୟ ଦେଇ ଚର୍ଚ୍ଚିତ ହୋଇଛନ୍ତି | ଏବେ କିନ୍ତୁ ତାଙ୍କ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ କିଛି ମାମଲାରେ ତାଙ୍କ ନିଷ୍ପତ୍ତିକୁ ଦେଶ ଅପେକ୍ଷା କରିବ | ଦାୟିତ୍ୱ ନେବା ପରେ ପରେ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଥିବା କେତୋଟି ପ୍ରସଙ୍ଗ ମଧ୍ୟରୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗଟି ହେଉଛି ଅଯୋଧ୍ୟା ବିବାଦ | ଗତ ୮ ବର୍ଷ ଧରି ସୁପ୍ରିମକୋର୍ଟରେ ଚାଲିଥିବା ଏହି ବିବାଦ ପାଇଁ ମୁଖ୍ୟ ବିଚାରପତି ପ୍ରଥମେ ୩ ଜଣିଆ ଖଣ୍ଡପୀଠ ଗଠନ କରିବେ | ଅକ୍ଟୋବର ୨୮ ତାରିଖରୁ ଏହି ମାମଲାରେ ଶୁଣାଣି ଆରମ୍ଭ ହେବ ବୋଲି ପୂର୍ବରୁ ତାରିଖ ନିର୍ଦ୍ଧାରିତ ହୋଇସାରିଛି | ମୁଖ୍ୟବିଚାରପତି ଜଷ୍ଟିସ ଗୋଗେଇଙ୍କ ସମ୍ମୁଖରେ ଆଉ ଏକ ବଡ ଆହ୍ୱାନ ହେଉଛି ପଡି ରହିଥିବା ମାମଲାଗୁଡିକର କ୍ଷିପ୍ର ଶୁଣାଣି | ଏବେ ଦେଶରେ ପ୍ରାୟ ୩ କୋଟି ୩୦ ଲକ୍ଷ ମାମଲା ଶୁଣାଣି ହୋଇନପାରି ପଡ଼ିରହିଛି | ଏଗୁଡିକର ଫଇସଲା ଯୁଦ୍ଧକାଳୀନ ଭିତ୍ତିରେ କିଭଳି ହେବ ସେଥିପାଇଁ ମଧ୍ୟ ଜଷ୍ଟିସ ଗୋଗେଇ ରୋଡ଼ମ୍ୟାପ ପ୍ରସ୍ତୁତ କରିବେ | ବିଚାର ବ୍ୟବସ୍ଥାକୁ କ୍ଷିପ୍ର କରିବାକୁ ହେଲେ ଆବଶ୍ୟକ ସଂଖ୍ୟକ ବିଚାରପତିଙ୍କ ଆବଶ୍ୟକତା ରହିଛି | ବର୍ତ୍ତମାନ ନ୍ୟାୟପାଳିକାରେ ଗତ ଗୋଟିଏ ଦଶନ୍ଧି ଧରି ବିଚାରପତିଙ୍କ ଅଭାବ ରହିଛି | ସୁପ୍ରିମକୋର୍ଟଙ୍କଠୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ହାଇକୋର୍ଟ, ସବୁ ବିଚାରପତିଙ୍କ ଅଭାବ | ତେଣୁ ଜଷ୍ଟିସ ଗୋଗେଇଙ୍କ ପାଇଁ ବିଚାରପତି ନିଯୁକ୍ତ ମଧ୍ୟ ଆଉ ଏକ ଆହ୍ୱାନ ଭାବେ ଉଭା ହେବ | ଏହା ବ୍ୟତୀତ ନ୍ୟାୟପାଳିକା ପାଇଁ ଭିତ୍ତିଭୂମୀର ବିକାଶ ଲାଗି ପାଣ୍ଠି ଯୋଗାଡ କରିବ ନିଶ୍ଚୟ ଏକ ଆହ୍ୱାନ ହେବ | ଦେଶର ବଜେଟରେ ନ୍ୟାୟପାଳିକା ପାଇଁ ବଜେଟ ପରିମାଣ ପାଇଁ ଜଷ୍ଟିସ ଗୋଗେଇଙ୍କୁ କାମ କରିବାକୁ ହେବ | ସୁପ୍ରିମକୋର୍ଟର ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗେଇ କେତେକ ଗୁରୁତ୍ୱପୂର୍ଣ ରାୟ ଓ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ନିର୍ବାଚନ ସମୟରେ ପ୍ରାର୍ଥୀ ସତ୍ୟପାଠ ମାଧ୍ୟମରେ ନିଜ ସମ୍ପତ୍ତି, ଶିକ୍ଷା ଏବଂ ନିଜ ବିରୋଧରେ ରହିଥିବା ଫୌଜଦାରୀ ମାମଲା ସଂର୍ପକରେ ତଥ୍ୟ ଦେବା ପାଇଁ ସୁପ୍ରିମକୋର୍ଟର ଯେଉଁ ୩ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ ସେହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗେଇ ମଧ୍ୟ ଥିଲେ | ୨୦୧୫ ମସିହା ମେ ମାସରେ ସୁପ୍ରିମକୋର୍ଟ ଏକ ରାୟରେ କହିଥିଲେ ଯେ, ସରକାରୀ ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଫଟୋ ରହିପାରିବ | ଦେଶର କରଦାତାଙ୍କ ପଇସାରେ କେହି ନିଜର ପ୍ରଚାର ପ୍ରସାର ନକରୁ ବୋଲି ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ | ଏହି ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା | ଏହି ସମୀକ୍ଷା ଆବେଦନର ବିଚାର ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଥିଲା | ସେହିଭଳି ୨୦୧୬ ମସିହାରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମାର୍କଣ୍ଡେୟ କାଟଜୁଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଥିଲା | ସୋମ୍ୟା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଜଷ୍ଟିସ କାଟଜୁ ଫେସବୁକରେ ସମାଲୋଚନା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.