୭ ଦିନରେ ନୂଆ ସିଡିଏସ : ଦକ୍ଷତା, ଅଭିଜ୍ଞତା ଓ ଦୂରଦର୍ଶିତା ହୋଇପାରେ ମାପକାଠି

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ ୦୯/୧୨:  ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ୱତ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କ ପରେ କିଏ ଉତ୍ତରାଧିକାରୀ ହେବ ସେନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ପଦବୀରେ କେହି ପୂର୍ବତନ ସୈନ୍ୟ ଅଧିକାରୀ ବସିବେ ନା ବର୍ତ୍ତମାନ ଦାୟିତ୍ୱରେ ଥିବା ଜଣଙ୍କୁ ବସାଯିବ ସେନେଇ କେନ୍ଦ୍ର ସରକାର ତର୍ଜମା କରୁଛନ୍ତି ।

ବିପିନ ରାଓ୍ୱତଙ୍କ ପରେ ଚୀନ ଓ ପାକିସ୍ତାନ କାରଣରୁ ସୀମାରେ ଯେଉଁ ସବୁ ଚ୍ୟାଲେଞ୍ଜ ରହିଛି ସେହି କାରଣରୁ ସିଡିଏସ ପଦବୀକୁ ଦୀର୍ଘ ଦିନ ଧରି ଖାଲି ରଖାଯାଇ ପାରିବ ନାହିଁ । ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ସରକାର ନୂଆ ସିଡିଏସ ଘୋଷଣା କରିବା ସହ ନୂଆ ଯୋଜନା ବି ପ୍ରସ୍ତୁତ କରିବାକୁ ହେବ ।

ନୂଆ ସିଡିଏସଙ୍କ ନାଁ ପ୍ରତିରକ୍ଷା ମନ୍ତ୍ରାଳୟ ସହ ଜଡିତ ଏକ କମିଟି ସ୍ଥିର କରିବ । ଯାହାର ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କମିଟି ୮ରୁ ୧୦ ଦିନ ମଧ୍ୟରେ ନୂଆ ସିଡିଏସଙ୍କ ନାଁ ଘୋଷଣା କରିପାରେ । ସମସ୍ତ ନିୟମ ଓ ମାପଦଣ୍ଡ ଅନୁସାରେ ନୂଆ ନାଁ ସ୍ଥିର ହେବ ।ଏହି ପଦବୀରେ ଥିବା ବ୍ୟକ୍ତି ୬୫ ବର୍ଷ ଯାଏଁ ଦାୟିତ୍ୱ ତୁଲାଇବେ ।

ଅଧିକାରୀଜଣଙ୍କ ଆହୁରି କହିଛନ୍ତି ଯେ, ସେନାମୁଖ୍ୟ ଜେନେରାଲ ମୁକୁନ୍ଦ ନରଓ୍ୱଣେ ଦେଶର ସବୁଠାରୁ ବରିଷ୍ଠ ସେନା ଅଧିକାରୀ।  ବାୟୁସେନା ମୁଖ୍ୟ ଏଚାର ଚିଫ୍ ମାର୍ଶାଲ ବିବେକ ରାମ ଚୌଧରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଉଭୟ ନରଓ୍ୱଣେଙ୍କଠୁ କନିଷ୍ଠ ଅଟନ୍ତି । ନରଓ୍ୱଣେଙ୍କୁ ସିଡିଏସ ଭାବେ ନିଯୁକ୍ତ କରାଯିବା ନେଇ ଅଧିକ ସମ୍ଭାବନା ରହିଛି ।

ନରେନ୍ଦ୍ର ମୋଦୀ ସରକାର ଯୋଗ୍ୟତା, ଟ୍ରାକ୍ ରେକର୍ଡ ଓ ଦୁରଦର୍ଶିତା ଆଧାରରେ ବିପିନ ରାଓ୍ୱତଙ୍କୁ ସେନାମୁଖ୍ୟ ଦାୟିତ୍ୱ ପ୍ରଦାନ କରିଥିଲେ  । ଜମ୍ମୁ-କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟରେ ଜେନେରାଲ ରାଓ୍ୱତ ପୂର୍ବରୁ କାମ କରିବା ସହ ଅନେକ ଅଭିଜ୍ଞତା ହାସଲ କରିଥିଲେ । ଏହାପରେ ତାଙ୍କୁ ସରକାର ୨୦୧୯ରେ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.