ଦେଶରେ ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍ : ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି, ସେପଟେ ଆରମ୍ଭ ହେଲା ଭାରତ-ବ୍ରିଟେନ୍ ବିମାନ ସେବା

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ ୦୯/୦୧ : ବ୍ରିଟେନ୍‌ରେ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଦିନକୁ ଦିନ ସାରା ବିଶ୍ବରେ କାୟା ମେଲାଇ ଚାଲିଛି । ଏହାରି ମଧ୍ୟରେ ଭାରତରେ ମଧ୍ୟ କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୯୦ ଜଣ କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ଭାରତ ଏବଂ ବ୍ରିଟେନ୍‌ ମଧ୍ୟରେ ବାତିଲ ହୋଇଥିବା ବିମାନ ସେବା ପୁଣି ଥରେ ଆରମ୍ଭ ହୋଇଛି ।

କଟକଣା ହଟାଯିବା ପରେ ଶୁକ୍ରବାର ପ୍ରଥମ ଥର ପାଇଁ ବ୍ରିଟେନ୍‌ରୁ ଏୟାର ଇଣ୍ଡିଆ ବିମାନ ଭାରତ ପହଞ୍ଚିଥିଲା । ବ୍ରିଟେନ୍‌ରୁ ଭାରତ ଫେରୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦରରେ ହିଁ RT-PCR ଟେଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି । ଏହା ସହ କରୋନା ଟେଷ୍ଟ୍‌ର ପୂରା ଖର୍ଚ୍ଚ ଯାତ୍ରୀ ନିଜେ ବହନ କରିବେ ।

ଅନ୍ୟପଟେ ବ୍ରିଟେନ୍‌ରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ମାମଲା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ବ୍ରିଟେନ୍‌ ସରକାର ଦେଶରେ ଲକଡାଉନ୍ ମଧ୍ୟ ଘୋଷଣା କରିଛନ୍ତି । କେବଳ ବ୍ରିଟେନ୍‌ ନୁହେଁ, ଭାରତ ସମେତ ଅନେକ ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେପଟେ ବିଶେଷଜ୍ଞଙ୍କ କହିବା କଥା ତିଆରି ହୋଇଥିବା ଭ୍ୟାକସିନ ମଧ୍ୟ କରୋନାର ନୂଆ ଷ୍ଟ୍ରେନ୍‌କୁ ରୋକିବାରେ ସଫଳ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.