ବାନ୍ତି କରିବା ବାହାନା କରି କାର୍ରୁ ଓହ୍ଲାଇ ନଦୀକୁ ଡେଇଁ ପଡ଼ିଲେ ନବ ବଧୂ : ତା’ପରେ …
14/06/2020 at 3:44 PM

ମାଧୋପୁର ୧୪/୬: ରାଜସ୍ଥାନର ସବାଇ ମାଧୋପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ନବ ବିବାହିତା କନିଆଁ ଗାଡ଼ି ଅଟକାଇ ଚମ୍ବଲ ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି ବର ସମେତ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ ଏବଂ କେହି କିଛି ବୁଝିପାରି ନଥିଲେ। ଯୁବତୀଙ୍କ ପରିବାରରେ ଶୋକର ଲହରୀ ଖେଳିଯାଇଛି।

ସବାଇ ମାଧୋପୁରର ଅଲ୍ଲାହପୁର ଗାଁରେ ଧୁମଧାମରେ ଜଣେ ଯୁବତୀଙ୍କ ବିବାହ ହୋଇଥିଲା। ବିବାହ ପରେ ଯୁବତୀ ସ୍ବାମୀ ସହ ପ୍ରଥମ ଥର ଶାଶୁଘରକୁ ଯିବା ପାଇଁ ଘରୁ ବିଦା ହୋଇଥିଲେ। ଯୁବତୀ ଚମ୍ବଲ ନଦୀ ପୋଲ ପାଖରେ ବାନ୍ତି ମାଡ଼ିବା ବାହାନାରେ ଗାଡ଼ି ଅଟକାଇ ଦେଇଥିଲେ।

ଯୁବତୀ ଗାଡ଼ିରୁ ଓହ୍ଲାଇଥିଲେ ଏବଂ କେହି କିଛି ବୁଝିବା ପୂର୍ବରୁ ସେ ପୋଲର ରେଲିଂରୁ ଦନୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି ବର ଏବଂ ତାଙ୍କ ବନ୍ଧୁ ଚିତ୍କାର କରିଥିଲେ। ଏହା ପରେ ସେଠାରେ ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ। ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।

ପୋଲିସ୍ ଗାଁଲୋକଙ୍କ ସହାୟତାରେ ଉଦ୍ଧାରକାରୀଙ୍କୁ ଯୁବତୀଙ୍କୁ ଖୋଜିବା ପାଇଁ ଜୁଟାଇଛି। ବହୁ ଉଦ୍ୟମ ପରେ ମଧ୍ୟ ଯୁବତୀଙ୍କ ଖୋଜଖବର ମିଳିପାରି ନାହିଁ।

ପରିବାର ଲୋକଙ୍କ କହିବା ମୁତାବକ ଦିନେ ପୂର୍ବରୁ ତାଙ୍କ ଝିଅଙ୍କ ବିବାହ ହୋଇଥିଲା ଏବଂ ବିବାହ ସମୟରେ ସେ ବହୁତ ଖୁସି ଥିଲେ। ଯୁବତୀ ମଧ୍ୟ ବିବାହରେ ନିଜ ସ୍ବାମୀଙ୍କ ସହ ଖୁବ୍ ଡ୍ୟାନ୍ସ କରିଥିଲେ।