ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରସବର ଘଣ୍ଟେ ପରେ ଶିଶୁର ମୃତ୍ୟୁ : ୧୪ ଘଣ୍ଟା ଯାଏଁ ମୃତଦେହକୁ ଛାତିରେ ଜାକି ଧରିଥିଲେ ମା'

Published By : Prameya-News7 Bureau | May 18, 2020 IST

ଦୁର୍ଗ ୧୮/୦୫ : ଲକଡାଉନ ସମୟରେ ନାନା ଅସୁବିଧାର ସମ୍ମୁଖୀନେ ହେଉଥିବା ପ୍ରବାସୀ ଶ୍ରମିକ ଘରମୁହାଁ ହେଉଛନ୍ତି | ପ୍ରବାସୀ ଶ୍ରମିକଙ୍କ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟବସ୍ଥା କରାଯାଇଛି | ଏହି ସମୟରେ ଏକ ଦୁଖଦ ଘଟଣା ସାମ୍ନାକୁ ଆସିଛି | ଜଣେ ମା'ଠାରୁ ତାର ଶିଶୁ ସବୁଦିନ ପାଇଁ ଦୁରେଇ ଯାଇଛି | ଦିଲ୍ଲୀରୁ ଦୁର୍ଗ ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ସୀମା ନାମକ ମହିଳା ଯାତ୍ରା କରୁଥିଲେ | ସୀମା ୯ ମାସର ଗର୍ଭବତୀ ଥିଲେ | ଟ୍ରେନ ଯାତ୍ରା ଆରମ୍ଭ କରିବା ପରେ ପରେ ସୀମାଙ୍କ ପ୍ରସବ ପୀଡା ଆରମ୍ଭ ହୋଇଥିଲା | ଟ୍ରେନରେ ଯାତ୍ରା କରୁଥିବା ମହିଳା ଶ୍ରମିକମାନେ ଯେକୌଣସି ପ୍ରକାରେ ସୀମାଙ୍କ ପ୍ରସବ କରାଇଥିଲେ |

ସେ ଏକ ସୁନ୍ଦର ଗୁଳୁଗୁଲିଆ ଶିଶୁକୁ ଜନ୍ମ ଦେଲେ | ଘଂଟାଏ ପର୍ଯ୍ୟନ୍ତ ସବୁ ଠିକ ଥିଲା | କିନ୍ତୁ ପରେ ହଠାତ ଶିଶୁକୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଏବଂ ଶିଶୁ ସବୁଦିନ ପାଇଁ ଆଖି ମୁଜିଦେଲା | ସୀମାଙ୍କ ପାଇଁ ଏହା କୌଣସି ବଜ୍ରପାତରୁ କମ ନଥିଲା | ନବଜାତ ଶିଶୁକୁ ହରାଇବା ଦୁଃଖରେ ସୀମା ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ |  ୧୪ ଘଣ୍ଟା ଯାଏଁ ସେ ନିଜ ଶିଶୁର ମୃତଦେହକୁ ଛାତିରେ ଜାକି ବସି ରହିଥିଲେ | ଆଖିରୁ ଅନର୍ଗଳ ଅଶ୍ରୁର ଧାରା ବୋହି ଚାଲିଥାଏ | ମଝିରେ ମଝିରେ ଶିଶୁର ମୁହଁକୁ ଟିକେ ଦେଖି ଦେଉଥାନ୍ତି ଆଉ ପୁଣି ଭୋ ଭୋ ହୋଇ କାନ୍ଦୁଥାନ୍ତି | ଟ୍ରେନଟି ଦୁର୍ଗରେ ପହଞ୍ଚିବା ପର୍ଯ୍ୟନ୍ତ ଏହି ସିଲସିଲା ଲାଗି ରହିଥିଲା | ଦୁର୍ଗ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ସୂଚନା ପାଇ ସୀମାଙ୍କ ପରିବାର ପାଇଁ ଗାଡି ବ୍ୟବସ୍ଥା କରି ତାଙ୍କୁ ଦୁର୍ଗରୁ ନବାଗଡ଼ ଯାଏଁ ପଠାଇ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.