କଟକର ନର୍ସିଂ ହୋମରେ ଡାକ୍ତର ନୁହେଁ, ନର୍ସ କରାନ୍ତି ପ୍ରସବ : ମରିଗଲା ରଶ୍ମୀରେଖାଙ୍କ ନବଜାତ ଶିଶୁ

Published By : Prameya-News7 Bureau | December 19, 2018 IST

କଟକ ୧୯|୧୨: ଆସିଲେନି ଡାକ୍ତର । ଦୀର୍ଘ ୩ ଘଣ୍ଟା କାଳ ହସ୍ପିଟାଲ ବେଡରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ମାତୃତ୍ବ ଲାଭ କରିଥିଲେ ଜଟଣୀର ରଶ୍ମୀରେଖା ସାହୁ । କିନ୍ତୁ ଆଖି ବୁଜିଥିଲେ ନବଜାତକ । ଏଥିପାଇଁ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମାହିଜା ସାହୁଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ କୋହଭରା କଣ୍ଠରେ କହିଛନ୍ତି ରଶ୍ମୀରେଖା ।

ଜଟଣୀର ରଶ୍ମୀରେଖା ସାହୁ । କଟକର ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ମହିଳା ଡାକ୍ତର ନିକଟରେ ଚିକିତ୍ସା ପରେ ଦୀର୍ଘ ଦିନ ପରେ ଗର୍ଭଧାରଣ କରିଥିଲେ । ଆଉ ଏବେ ସେହି ଡାକ୍ତର ହିଁ ତାଙ୍କ କୋଳ ଖାଲି କରିଦେଇଥିବା ରଶ୍ମୀରେଖା ଏବଂ ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୧୫ରେ ପ୍ରସବ ଯନ୍ତ୍ରଣା ହେବାରୁ ଏହି ମହିଳା ଡାକ୍ତରଙ୍କ ପରାମର୍ଶରେ ରଶ୍ମୀରେଖାଙ୍କୁ କଟକ ମେଡିଆର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବେଡ୍‌ରେ ପଡି ୩ ଘଣ୍ଟା କାଳ ଛଟପଟ ହୋଇଥିଲେ ରଶ୍ମୀରେଖା । ତାଙ୍କ ପାଖକୁ ନା ଆସିଥିଲେ ମହିଳା ଡାକ୍ତର  ନା ନର୍ସିଂହୋମ୍ କର୍ମଚାରୀ । କିଛି ନର୍ସ ତାଙ୍କର ପ୍ରସବ କରାଇଥିଲେ । କିନ୍ତୁ ନବଜାତକକୁ ବଞ୍ଚାଇ ପାରିଲେନି । ନବଜାତକକୁ ହରାଇ ଭାଙ୍ଗି ପଡିଛନ୍ତି ପୂରା ପରିବାର । ଡାକ୍ତରଙ୍କ ପାଇଁ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କୋହଭରା କଣ୍ଠରେ ଦାବି କିରଛନ୍ତି ରଶ୍ମୀରେଖା ।

ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିଆର୍ ଡାକ୍ତରଖାନା କର୍ତ୍ତୃପକ୍ଷ । ତାଙ୍କ କହିବା କଥା, ପ୍ରସୂତିଙ୍କ ପାଖରେଟ୍ରେଣ୍ଡ ନର୍ସ ଥିଲେ -ଯେଉଁମାନେ ସବୁବେଳେ ଡେଲିଭରି କରାନ୍ତି । ନବଜାତକକୁ ବଞ୍ଚାଇବା ପାଇଁ ହସ୍ପିଟାଲ ପକ୍ଷରୁ ସମସ୍ତ ବ୍ୟବସ୍ଥା ବି କରାଯାଇଥିଲା । ଘଟଣାର ତଦନ୍ତ କରି ଡାକ୍ତର ମାହିଜା ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ଦାବି କରିଛନ୍ତି ରଶ୍ମୀରେଖାଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.