୮୦ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରି ଆସୁଥିବା ନନ୍ଦ ସାର୍‌ଙ୍କ ଜୀବନିକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ "ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ"

Published By : Prameya-News7 Bureau | October 30, 2021 IST

ଯାଜପୁର, ୩୦/୧୦: ଯାଜପୁରର ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାରଙ୍କ ଜୀବନୀ ଉପରେ ନିର୍ମାଣ ହୋଇଛି ଫିଲ୍ମ। ଯାହାର ପୋଷ୍ଟର ଆଜି ରିଲିଜ୍ କରାଯାଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ କିଶୋର ପୃଷ୍ଟି ଚାଟଶାଳୀ ଜରିଆରେ ଦୀର୍ଘ ୮୦ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି। କିଛିଦିନ ପୂର୍ବେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ତାଙ୍କ ନାମ ସୁପାରିଶ କରିଥିଲେ। ପରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି।

ତେବେ ନନ୍ଦ ସାରଙ୍କ ଜୀବନିକୁ ନେଇ ଅଭିସ୍ମିତା ଫିଲ୍ମସ୍ ପକ୍ଷରୁ "ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ" ନାମରେ ଏକ ଫିଲ୍ମ ନିର୍ମାଣ କରାଯାଇଛି। ଦେବପ୍ରଭା ପଡକ୍ସନ ଓ ଷ୍ଟୁଡ଼ିଓୱାଲା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅନ୍ତର୍ଜାତୀୟ ନିର୍ଦ୍ଦେଶକ ପ୍ରଣବ ଆଇଚ, ପ୍ରଯୋଜକ ଭାବେ ବରିଷ୍ଠ ସାମ୍ବାଦିକ ଅଭୟ ପତି ଏବଂ ଅଭିନେତ୍ରୀ ନୈନା ଦାଶ ରହିଛନ୍ତି। ଏହାର କାହାଣୀ ଅସ୍ମିତା ପତି ଲେଖିଥିବା ବେଳେ ନନ୍ଦ ସାରଙ୍କ ଗାଁ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାର ୮୦ ଭାଗ ସୁଟିଂ ସରିଥିବା ବେଳେ ଆସନ୍ତା ମାର୍ଚ୍ଚ ୨୦୨୨ ରେ ଏହା ରିଲିଜ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.