ନୂଆଦିଲ୍ଲୀ, ୨୮/୦୫: ଭାରତରେ କରୋନା ସଂକ୍ରମଣ ଥମିନାହିଁ । ଏବେବି ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହଜାର ହଜାର କୋଭିଡ୍ ଆକ୍ରାନ୍ତ ଜୀବନ ହାରୁଛନ୍ତି । କରୋନା ସହ ଲଢେଇ କରୁଥିବା ଅନେକ ବ୍ୟକ୍ତି ହ୍ୱାଇଟ୍ ଫଙ୍ଗସ୍ ଓ ବ୍ଲାକ୍ ଫଙ୍ଗସର ସାମ୍ନା କରୁଛନ୍ତି । ଏହା ଦ୍ୱାରା ମଧ୍ୟ ଅନେକ ନିଜ ଆଖି ହରାଉଛନ୍ତି । ଏହା ମଧ୍ୟରେ ଆଉ ଏକ ସଂକ୍ରମଣ ଡରାଇଲାଣି। ବ୍ଲାକ୍ , ହ୍ୱାଇଟ୍ ଓ ୟେଲୋ ଫଙ୍ଗସ୍ ପରେ ଗୁଜୁରାଟରେ ନୂଆ ବିପଦ ମୁଣ୍ଡ ଟେକିଛି । ଏହାକୁ ‘ଆସ୍ପରଜିଲୋସିସ୍’ କୁହାଯାଉଛି।
ଗୁଜୁରାଟର ବଦୋଦରା ସ୍ଥିତ ଏସଏସଜି ହସ୍ପିଟାଲ ଓ ଗୋତ୍ରୀ ମେଡିକାଲ କଲେଜରେ ୨୬୨ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଏହାମଧ୍ୟରୁ ଆଠ ଜଣ ରୋଗୀ ନୂଆରୋଗର ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାୟୀ, ଯେଉଁଭଳି ବ୍ଲାକ୍ ଏବଂ ହ୍ଲାଇଟ୍ ଫଙ୍ଗସ୍ କରୋନାରୁ ସୁସ୍ଥ ହେବା ପରେ ଶରୀରକୁ କ୍ଷତି ପହଞ୍ଚାଉଛି, ସେହିପରି ଏହା ମଧ୍ୟ କରୋନା ସଂକ୍ରମିତ ଲୋକ କିମ୍ବା କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ଲୋକଙ୍କ ଜୀବନ ବିପଦରେ ପକାଉଛି ।। ଏହା ବ୍ଲାକ୍ ଫଙ୍ଗସ୍ ଭଳି ଘାତକ ନହେଲେ ବି ଏହାକୁ ଧ୍ୟାନ ଦେଲେ ଏହା ଜୀବନ ନେଇପାରେ ।
ଡାକ୍ତରଙ୍କ କହିବାନୁସାରେ, ଆସ୍ପରଜିଲୋସିସ୍ ମ୍ୟୁକୋରମାଇକୋସିସ୍ ଭଳି ଅଟେ । ଏହି ସଂକ୍ରମଣ ମାମଲା ଏଥିପାଇଁ ଦେଖିବାକୁ ମିଳିଛି କାରଣ କରୋନା ରୋଗୀଙ୍କୁ ଷ୍ଟେରଏଡଦିଆଯାଇଛି । ଅମ୍ଳଜାନର ପରିମାଣକୁ ବଜାୟ ରଖିବା ପାଇଁ ନନ୍ ଷ୍ଟେରଲାଇଟ ପାଣିର ବ୍ୟବହାର କରାଯାଉଛି। ତେବେ ଏହି ନୂଆ ସଂକ୍ରମଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ । ଏହାସହ ଦୃଷ୍ଟି ଶକ୍ତି ଲୋପ, ପାରାଲେସିସ, ଘ୍ରାଣଶକ୍ତି ହରାଇବା ଆଦି ଘଟାଇଥାଏ ଆସ୍ପରଜିଲୋସିସ୍ । କେତେକ କ୍ଷେତ୍ରରେ ଏହା ଫୁସଫୁସକୁ ମଧ୍ୟ କ୍ଷତି ପହଁଚାଇଥାଏ ।
ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି)ର କହିବାନୁସାରେ, ଆସ୍ପରଜିଲୋସିସ୍ ଆସ୍ପରଜିଲସ୍ କାରଣରୁ ହୋଇଥାଏ। ଯାହା ଏକ ସାମାନ୍ୟ ପ୍ରକାରର ଫଙ୍ଗସ୍ । ଏହା ଘର ଭିତରେ ଏବଂ ବାହାରେ ରହିଥାଏ। ଅଧିକାଂଶ ଲୋକ ଅସୁସ୍ଥ ନ ହୋଇ ପ୍ରତିଦିନ ଆସ୍ପରଜିଲୋସିସକୁ ନିଶ୍ୱାସରେ ନିଅନ୍ତି । କିନ୍ତୁ ଫୁସଫୁସ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଆସ୍ପରଜିଲୋସିସ୍ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ସମ୍ମୁଖୀନ ହୋଇଥାନ୍ତି । କରୋନା ଆକ୍ରାନ୍ତଙ୍କଠାରେ ଏହି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ ।