ସରକାରଙ୍କ ଆଗରେ ନୂଆ ଶିକ୍ଷା କ୍ୟାଲେଣ୍ଡର ପାଇଁ ରହିଛି ଅନେକ ଚ୍ୟାଲେଞ୍ଜ୍, ଛୁଟି ଓ ପରୀକ୍ଷା ପାଇଁ ପ୍ରସ୍ତୁତି

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ, ୦୯|୦୪:  କରୋନା ଭାଇରସ ପାଇଁ ଚଳିତ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଆଉ କିଛିଦିନ ମଧ୍ୟରେ ପ୍ରକାଶ ପାଇବ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ଶିକ୍ଷା ସହ ଜଡିତ ଏକ ଆକସ୍ମିକ ଯୋଜନା ଉପରେ କାମ କରୁଛନ୍ତି । ଏହି ଯୋଜନା ବାବଦରେ ଏପ୍ରିଲ ୧୪ ତାରିଖ ପରେ ଘୋଷଣା କରାଯିବ । ଶିକ୍ଷା କ୍ୟାଲେଣ୍ଡର ବ୍ୟତୀତ କଲେଜ ଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ପାଇଁ ଛୁଟି ଓ ଫଳ ପ୍ରକାଶର ନୂଆ ତାରିଖ ବାବଦରେ ଘୋଷଣା କରାଯିବ ।

ଏହି କ୍ୟାଲେଣ୍ଡରରେ ଛାତ୍ରଙ୍କୁ ସେମାନଙ୍କ କ୍ୟାରିଅର ବାବଦରେ ପରାମର୍ଶ ସମ୍ବନ୍ଧୀୟ ତଥ୍ୟ ରହିବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଏପ୍ରିଲ ୬ ତାରିଖରେ ଏହି ଯୋଜନା ପ୍ରସ୍ତୁତ ପାଇଁ ୭ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲା ।

କମିଟିର ମୁଖ୍ୟ ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିସି ଆରସି କୁହଦ ରହିଛନ୍ତି । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବନସ୍ଥଳୀ ବିଦ୍ୟାପୀଠର କୂଳପତି, ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ଶ୍ରୀ ବୈଷ୍ଣବ ବିଶ୍ୱବିଦ୍ୟାଳୟର ଭିସି, ଇଣ୍ଟର ବିଶ୍ୱବିଦ୍ୟାଳୟର ଏକ୍ସିଲେରେଟରର ନିର୍ଦ୍ଦେଶକ ଓ ୟୁଜିସିର ୨ଜଣ ସହ ସଚିବ ରହିଛନ୍ତି ।

କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ଉପରେ ଧ୍ୟାନ ଦିଆଯାଇଛି । ସମୟରେ ପରୀକ୍ଷା ଓ ଫଳାଫଳ ପ୍ରକାଶ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ । ଏହାସହ ଛାତ୍ରଙ୍କ କ୍ୟାରିଅର, ଇଣ୍ଟର୍ଣ୍ଣସିପ୍ ଉପରେ ଧ୍ୟାନ ଦିଆଯିବ । ଆଇଆଇଟି ଓ ଆଇଆଇଏମରେ ଛାତ୍ରଙ୍କୁ ଚାକିରୀ ଯୋଗାଇବା ଯେପରି ବ୍ୟାହତ ନହୁଏ ସେନେଇ ବିଚାର କରାଯାଉଛି । କାରଣ ଆମେରିକାର ବିଭିନ୍ନ କମ୍ପାନୀ ଚାକିରୀ ଫେରାଇ ନେବାକୁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକଡାଉନ ଘୋଷଣା କରିବା ପରେ ମାର୍ଚ୍ଚ ୨୪ରୁ ଆରମ୍ଭ ହେଉଥିବା ପରୀକ୍ଷା ସ୍ଥଗିତ ହୋଇଯାଇଛି । ସାଧାରଣତଃ ଅଧିକାଂଶ ପରୀକ୍ଷା ମାର୍ଚ୍ଚ ଓ ଏପ୍ରିଲ ମାସରେ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.