ନୋବେଲ ଶାନ୍ତିପୁରସ୍କାର ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ଆବୁଧାବୀ କ୍ରାଉନପ୍ରିନ୍ସଙ୍କୁ ନାମାଙ୍କିତ କଲେ ଲର୍ଡ ଟ୍ରିମ୍ବ୍ଲେ
25/11/2020 at 4:39 PM

ଜେରୁଜେଲମ : ନୋବେଲ ଶାନ୍ତି ପୁରସ୍କାର ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟେହୁ ଓ ଆବୁଧାବୀ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନଙ୍କୁ ନାମାଙ୍କିତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦ୍ୱିପାକ୍ଷିୟ ସମ୍ପର୍କ ସ୍ଥାପନା ଉଦ୍ଦେଶ୍ୟରେ ନେତାନ୍ୟେହୁ ଏବଂ ପ୍ରିନ୍ସ ଜାୟଦଙ୍କ ଉଦ୍ୟମ ଲାଗି ପୁରସ୍କାର ନିମନ୍ତେ ନାମାଙ୍କିତ କରାଯାଇଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅତୀତରେ ଶାନ୍ତି ନୋବେଲ ବିଜେତା ଲର୍ଡ ଡେଭିଡ ଟ୍ରିମ୍ବ୍ଲେଉଭୟ ନେତାଙ୍କ ନାମ ନୋବେଲ କମିଟିକୁ ସୁପାରିଶ କରିଛନ୍ତି। ଟ୍ରିମ୍ବଲେ ଉତ୍ତର ଆୟର୍ଲାଣ୍ଡର ମନ୍ତ୍ରୀ। ୧୯୯୮ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେବେଠାରୁ ତାଙ୍କୁ ଏହି ଅନ୍ତର୍ଜାତୀୟ ପୁରସ୍କାର ନିମନ୍ତେ ପ୍ରାର୍ଥୀ ମନୋନୟନର ବିଶେଷାଧିକାର ପ୍ରଦାନ କରାଯାଇଛି।

ନୋବେଲ ପ୍ରାଇଜ୍ କମିଟି ନେତାନ୍ୟେହୁ ଓ ପ୍ରିନ୍ସ ଜାୟଦଙ୍କ ପ୍ରାର୍ଥୀତ୍ୱ ସମୀକ୍ଷା କରିବେ। ପରେ ପୁରସ୍କାର ନେଇ ନିଷ୍ପତ୍ତି ହେବ। ସୂଚନା ଯୋଗ୍ୟଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସେପ୍ଟେମ୍ବର ୧୫ ତାରିଖରେ ଇସ୍ରାଏଲ, ବାହାରିନ ଓ ୟୁଏଇ ମଧ୍ୟରେ ଶାନ୍ତି ବୁଝାମଣା ଲାଗି ହ୍ୱାଇଟ୍ ହାଉସ୍ରେ ଏକ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଦୁଇ ଉପସାଗରୀୟ ଦେଶ ୟୁଏଇ ଓ ବାହାରିନ ମଧ୍ୟରେ ‘ଆବ୍ରାହାମ’ ରାଜିନାମାରେ ସ୍ୱାକ୍ଷରିତ ହୋଇଥିଲା।

ଆବ୍ରାହାମ ବୁଝାମଣା ଅନୁସାରେ ଇସ୍ରାଏଲ ସହ ବାହାରିନ ଓ ୟୁଏଇର ପୂର୍ଣ୍ଣ ସମ୍ପର୍କ ସ୍ଥାପିତ ହୋଇଛି। ଏହା ପୂର୍ବରୁ ଇଜିପ୍ଟ ଓ ଜୋର୍ଡାନ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି।