ଆଜି ନେତାଜୀ ଜୟନ୍ତୀ: ଜାନକୀ ଭବନରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବସ୍ ଟର୍ମିନାଲର ହେବ ଶିଳାନ୍ୟାସ
23/01/2021 at 7:35 AM

ଭୁବନେଶ୍ୱର ୨୩।୦୧: ଆଜି ନେତାଜୀ ଜୟନ୍ତୀ । ଏହି ଅବସରରେ କଟକ ବକ୍ସି ବଜାରସ୍ଥିତ ଜାନକୀ ଭବନରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ଖାନନଗରର ହେବାକୁ ଥିବା ବସ ଟର୍ମିନାଲର ଶିଳାନ୍ୟାସ କରିବେ ।

ଭୁବନେଶ୍ବରରୁ ହେଲିକପ୍ଟରେ ଯୋଗେ ସକାଳ ସାଢେ ୧୦ଟାରେ ବାହାରି କଟକ ଉପର ବାଲିଯାତ୍ରା ପଡିଆରେ ୧୦ଟା ୫୦ ମିନିଟରେ ପହଁଚିବେ। କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନରେ ସେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏଥିସହିତ ସେଠାରେ ପତାକା ଉତ୍ତୋଳନ ମଧ୍ୟ କରିବେ।

ସେଠାରୁ ମୁଖ୍ୟମନ୍ତ୍ରୀ ଖାନନଗରେ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ ମଧ୍ୟ କରିବେ। ବସ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରି ଏହାର ନକ୍ସା ଅନୁଧ୍ୟାନ କରିବେ। ପ୍ରାୟ ୧୨ ଏକର ସ୍ଥାନରେ ଏହି ବସ ରହଣୀସ୍ଥଳ ନିର୍ମାଣ ହେବ। ସେଥିପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ବସ ଟର୍ମିନାଲରେ ଏକାଥରେ ୧୫୦ଟି ବସ ରହିପାରିବା ପରି ବ୍ୟବସ୍ଥା କରାଯାଉଛି।

ଅନ୍ୟପଟେ ଜାନକୀ ନାଥ ଭବନ ନେତାଜୀ ସଂଗ୍ରହାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । କଟକରେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମ ସରିବା ପରେ ଝାରସୁଗୁଡା ଗସ୍ତ କରିବେ । ପୂର୍ବାହ୍ନ୧୧ଟା ସମୟରେ ସେ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ, ଝାରସୁଗୁଡାରେ ପହଞ୍ଚି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।