ଅମିତ ଶାହଙ୍କ ସମ୍ପତ୍ତି କମିଛି, ବଜାର ମାନ୍ଦା ଯୋଗୁଁ ହେଲା ଘାଟା, ଅଥଚ ବଢିଛି ପ୍ରଧାନମନ୍ତ୍ରୀଙ୍କ ଆୟ

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫୧୦ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ନିଜ ନିଜର ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି। ମୋଦୀଙ୍କ ମୋଟ ସମ୍ପତ୍ତିର ପରିମାଣ ୨କୋଟି ୮୫ ଲକ୍ଷ ଟଙ୍କା ଦର୍ଶାଇଥିବା ବେଳେ ଗତ ବର୍ଷ ତୁଳନାରେ ତାଙ୍କ ଆର୍ଥିକ ଆୟରେ ୩୬ ଲକ୍ଷ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି। ଏହି ରାଶି ବ୍ୟାଙ୍କରେ ଜମା ଥିବା ଟଙ୍କା, ମିଆଦି ଜମାରୁ ମିଳୁଥିବା ସୁଧ ଏବଂ ବ୍ୟୟ ପରେ ବଳକା ଦରମାରୁ ଆୟ ହୋଇଥିବା ପ୍ରଧାନମନ୍ତ୍ରୀ ହିସାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଦାଖଲ କରିଥିବା ତାଙ୍କ ବାର୍ଷିକ ରିପୋର୍ଟରେ ସେ ଟଙ୍କାଟିଏ ବି ଋଣ କରି ନଥିବା ବେଳେ ଏବାବଦରେ ତାଙ୍କର ବ୍ୟୟ ନଥିବା ଦର୍ଶାଇଛନ୍ତି। ତାଙ୍କ ମିଆଦୀ ଜମା ଖାତାରେ ୧.୬ କୋଟି ଟଙ୍କା ଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଥିବା ବେଳେ ସଞ୍ଚୟ ଜମା ଖାତାରେ ୩ଲକ୍ଷ ୩୮ ହଜାର ଟଙ୍କା ଜମା ରହିଛି।  ଡାକଘର ସଞ୍ଚୟ ସାର୍ଟିଫିକେଟ୍ (ଏନଏସସି)ରେ ପ୍ରଧାନମନ୍ତ୍ରୀ ୮ଲକ୍ଷ ୪୦ ହଜାର ଟଙ୍କା ନିବେଶ କରିଥିବା ବେଳେ ଶୁଳ୍କ ମୁକ୍ତ ବଣ୍ଡରେ ୨୦ ହଜାର ଟଙ୍କା ନିବେଶ କରିଛନ୍ତି। ମୋଦିଙ୍କର ଦେଢ ଲକ୍ଷଟଙ୍କାର ଜୀବନ ବୀମା ରହିଛି। ଗୁଜୁରାଟ ଗାନ୍ଧି ନଗରରେ ଥିବା ମୋଦିଙ୍କ ଘରର ମୂଲ୍ୟ ୧.୧କୋଟି ଟଙ୍କା ଅନୁମାନ କରିଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଭାଗ ୨୫ ପ୍ରତିଶତ ଦର୍ଶାଇଛନ୍ତି।  ତାଙ୍କ ନିକଟରେ ହ୍ୟାଣ୍ଡ ଇନ କ୍ୟାସ୍‌ ବାବଦେ ୩୧ ହଜାର ୪୫୦ ଟଙ୍କା ରଖିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ କୌଣସି ବାହନ ନାହିଁ।   ସ୍ୱର୍ଣ୍ଣ ଆଭୁଷଣ ଭାବେ ତାଙ୍କର ୪ଟି ସୁନା ମୁଦି ଥିବା ସୂଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ମୋଦି ମାସିକ ୨ଲକ୍ଷ ଟଙ୍କା ବେତନ ପ୍ରାପ୍ତ କରୁଛନ୍ତି। ତେବେ ଦେଶରେ କରୋନା ଭାଇରସ ମହାମାରୀ ଯୋଗୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, କ୍ୟାବିନେଟ ସଦସ୍ୟ ଓ ସାଂସଦମାନଙ୍କ ଦରମାରୁ ୩୦ ପ୍ରତିଶତ କାଟ ହେଉଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ବେତନରୁ ୩୦ ପ୍ରତିଶତ କଟାଉଛନ୍ତି।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ପତ୍ତିର ପରିମାଣ ଗତ ଏକ ବର୍ଷରେ କମିଛି । ଶାହଙ୍କର ମୋଟ୍ ସମ୍ପତ୍ତି ହୋଉଛି ୨୮.୬୩ କୋଟି । ଏନେଇ ସେ ଜୁନ ୨୦୨୦ରେ ଘୋଷଣା କରିଥିଲେ । ତେବେ ୨୦୧୯ରେ ଏହା ୩୨.୩ କୋଟି ଥିଲା ।

ଶାହଙ୍କର ମୋଟ ୧୦ ଟି ଅସ୍ଥାବର ସମ୍ପତ୍ତି ରହିଛି । ଯାହାର ଦାମ୍ ୧୩.୫୬ କୋଟି । ସେହିପରି ତାଙ୍କ ପାଖରେ ୧୫,୮୧୪ ଟଙ୍କାର ନଗଦ ଅର୍ଥ ରହିଛି । ଏହାସହ ୧.୦୪ କୋଟିର ବ୍ୟାଙ୍କ ବାଲାନ୍ସ ରହିଛି । ସେହିପରି ୨.୭୯ ଲକ୍ଷର ଫିକ୍ସଡ ଡିପୋଜିଟ୍ ଓ ୪୪.୪୭ ଲକ୍ଷ ଟଙ୍କାର ଅଳଙ୍କାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.