ନେପାଳ କ୍ରାଇସିସ୍ରେ ଭାରତର ପରାମର୍ଶ : ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରିବ ସମସ୍ୟା ସମାଧାନ
2/01/2021 at 3:19 PM

ନୂଆଦିଲ୍ଲୀ ୦୨/୦୧ : ନେପାଳରେ ଏବେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି । ଏହି ଅସ୍ଥିରତା ପଛରେ ଭାରତର ହାତ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏଥିରେ ଭାରତର କୌଣସି ଭୂମିକା ନାହିଁ କିମ୍ବା ଏଥିରେ ଭାରତ ଫାଇଦା ନେବାକୁ ଚାହୁଁ ନାହିଁ ବୋଲି ନୂଆଦିଲ୍ଲୀ କହିଛି । ଏହା ସହ ନେପାଳ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ସାମିଲ ହେବା ଉଚିତ ବୋଲି ରାଜନୈତିକ ମତ ପ୍ରକାଶ ପାଇଛି । ଅନ୍ୟପଟେ ନେପାଳର ରାଜନୖତିକ ଗତିବିଧି ଉପରେ ଚାଇନାର ନଜର ରହିଛି । କିନ୍ତୁ ବର୍ତ୍ତମାନ ପାଇଁ ଚାଇନା ତାର ମିଶନରେ ସଫଳ ହୋଇନଥିଲେ ମଧ୍ୟ ନେପାଳ ରାଜନୀତିରେ ପ୍ରଭାବ ବିସ୍ତାର କରି ଚାଲିଛି ।
ଗତ କିଛି ବର୍ଷ ହେଲା ଚାଇନା, ନେପାଳରେ ଯେପରି ଭାବେ ତାର କାର୍ଯ୍ୟକଳାପ ଜାରି ରଖିଛି ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ରାଜନୈତିକ ମତାମତ ମଧ୍ୟ ସେ ହିଁ ନିର୍ଦ୍ଧାରଣ କରିବ । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କିଛି ଦିନ ହେଲା ରାଜନୈତିକ କାର୍ଡ ଖୋଲି ଚାଲିଛନ୍ତି । ତେବେ ସେ ଭାରତ କିମ୍ବା ଚାଇନା ସହାୟତାରେ କାର୍ଡ ଖେଳୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
ତେବେ ଓଲି ନେସନାଲିଷ୍ଟ୍ କାର୍ଡ କିମ୍ବା ହିନ୍ଦୁ କାର୍ଡ ଖୋଲିପାରନ୍ତି ବୋଲି ଅନୁମାନ କରାଯାଉଛି । ନେପାଳ ରାଜନୀତିରେ ଚୀନ ବିପୁଳ ପରିମାଣର ନିବେଶ ମଧ୍ୟ କରିଛି । ନେପାଳର ଅନେକ ରାଜନେତା ସିଧାସଳଖ ଭାବେ ଚାଇନାର ମୁଷ୍ଟିମେୟ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିବା ମଧ୍ୟ ଏକ ସୂତ୍ରରୁ ଜାଣିବାକୁ ମିଳିଛି । ଆଗାମୀ ଦିନରେ ନେପାଳରେ ହେବାକୁ ଥିବା ନିର୍ବାଚନ ଉପରେ ଚାଇନାର ମଧ୍ୟ ନଜର ରହିଛି । ଅନେକ ନେତାମାନଙ୍କୁ ଫଣ୍ଡିଂ ମଧ୍ୟ ଯୋଗାଉଛି ଚାଇନା ।
ପୂର୍ବରୁ ଭାରତ ଏବଂ ନେପାଳ ମଧ୍ୟରେ ଥିବା ସମ୍ପର୍କରେ ଭଟ୍ଟା ପଡିବା ପରେ ନେପାଳରେ ରାଜନୈତିକ ଅସ୍ଥିରତା ପଛରେ ଭାରତର ହାତ ଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହାକୁ ଦୃଢ ଭାବେ ଖଣ୍ଡନ କରିଛି ନୂଆଦିଲ୍ଲୀ । ଭାରତ ଭଳି ନେପାଳରେ ମଧ୍ୟ ଗଣତାନ୍ତ୍ରୀକ ଉପାୟରେ ନୀର୍ବାଚନ ହେଉ ବୋଲି କହିଛି ନୂଆଦିଲ୍ଲୀ ।