ଡେରାଡୁନ୍ ଓ ନୈନିତାଲକୁ ନିଜର ବୋଲି ଦାବି କଲାଣି ନେପାଳ, ନିଜ ଦେଶର ନାଗରିକଙ୍କୁ ଭ୍ରମିତ କରୁଛନ୍ତି ଓଲି ସରକାର

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ, ୧୭|୦୯ : ନେପାଳ ବାରମ୍ବାର ଭାରତକୁ ଉସକାଇବାରେ ଲାଗିଛି । ପୂର୍ବରୁ ଭାରତୀୟ ଅଞ୍ଚଳ କଳାପାଣିକୁ ନିଜର ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ଓଲି ଏବେ ଗ୍ରେଟର୍ ନେପାଳ ଅଭିଯାନ ଆରମ୍ଭ କରିଛନ୍ତି । ନେପାଳରେ ଶାସନରେ ଥିବା ନେପାଳୀ କମ୍ୟୁନିଷ୍ଟ ପାର୍ଟି ଏହି ଅଭିଯାନ ଆରମ୍ଭ କରିଛି । ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି ।

ଏହି ଅଭିଯାନରେ ନେପାଳ ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଲ ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର ଓ ସିକ୍କିମର ମୁଖ୍ୟ ସହରକୁ ନିଜର ବୋଲି କହିଛି । ଏଥିପାଇଁ ୧୮୧୬ରେ ହୋଇଥିବା ସୁଗୋଲୀ ଚୁକ୍ତି ପୂର୍ବରୁ ନେପାଳର ମାନଚିତ୍ର ପ୍ରଦର୍ଶନ କରାଯାଇ ନାଗରିକଙ୍କୁ ଭ୍ରମିତ କରାଯାଉଛି । ଏପରିକି ଭାରତୀୟ ସହର ନୈନିତାଲ ଓ ଡେରାଡୁନକୁ ମଧ୍ୟ ନିଜର ବୋଲି ଦାବି କରିଛି ନେପାଳ ।

ଗ୍ରେଟର୍ ନେପାଳ ଅଭିଯାନରେ ବିଦେଶରେ ରହୁଥିବା ଅନେକ ନେପାଳୀ ଯୁବକ ମଧ୍ୟ ସାମିଲ ହୋଇଛନ୍ତି । ଏପରିକି ଗ୍ରେଟର୍ ନେପାଳ ନାମରେ ମଧ୍ୟ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି ।  ଏହାସହ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲରେ ଭାରତ ବିରୋଧରେ ବିଷୋଦଗାର କରାଯାଉଛି । ପାକିସ୍ତାନୀ ଯୁବକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ୟୁଟ୍ୟୁବ୍ ଗ୍ରୁପରେ ପରଭେଜ୍ ମୁଶାରପ, ନଓ୍ୱାଜ ସରିଫ ଓ ପାକିସ୍ତାନୀ ପତାକା ଫଟୋ ମଧ୍ୟ ଅପଲୋଡ୍ କରାଯାଉଛି ।

ଭାରତ-ନେପାଳ ସମ୍ବନ୍ଧରେ ଗବେଷଣା କରୁଥିବା ଯଶୋଦା ଶ୍ରୀବାସ୍ତବ କହିଛନ୍ତି ଯେ, ନେପାଳରେ କମ୍ୟୁନିଷ୍ଟ ପାର୍ଟି ସରକାରକୁ ଆସିବା ପରେ ଗ୍ରେଟର୍ ନେପାଳ ଦାବି ଜୋର୍ ଧରିଛି । ୨୦୧୯ ଏପ୍ରିଲରେ ନେପାଳ ଏହାକୁ ୟୁଏନରେ ଉଠାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.