୫ ଭାରତୀୟ ନାଗରିକଙ୍କ ଉପରେ ନେପାଳ ପୋଲିସର ଗୁଳି ବର୍ଷଣ: ଜଣେ ମୃତ, ୪ ଗୁରୁତର, କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ ୧୨/୦୬ : ସାଧାରଣତଃ ଭାରତ ନେପାଳ ସୀମାରେ ସବୁବେଳେ ଶାନ୍ତି ରହିଥାଏ | କିନ୍ତୁ ଶୁକ୍ରବାର ଦିନ ବିହାର ସୀତାମାଢି ଜିଲ୍ଲା ସହ ଲାଗିଥିବା ସୀମାରେ ନେପାଳ ପୋଲିସ ହଠାତ ଭାରତୀୟ ନାଗରିକଙ୍କ ଉପରେ ଗୁଳି ଚଳାଇଥିଲେ | ଘଟଣାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି | ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି | ତେବେ ନେପାଳ ଭାରତ ମାନଚିତ୍ର ବିବାଦକୁ ନେଇ ଏହିଭଳି ଘଟଣା ଘଟିଥିବା ଅନେକ ଲୋକ ସନ୍ଦେହ କରୁଛନ୍ତି | କାରଣ କିଛି ଦିନ ପୂର୍ବରୁ ନେପାଳ ଭାରତର କିଛି ଅଞ୍ଚଳକୁ ନିଜ ବୋଲି ଦାବି କରିଥିଲା ଏବଂ ନୂଆ ମାନଚିତ୍ର ମଧ୍ୟ ଜାରି କରିଥିଲା | ମାମଲାରେ ନେପାଳର ମଢେସି ସାଂସଦ ଓ ସେଠାକାର ଲୋକେ ଏହାକୁ ବିରୋଧ କରିଥିଲେ |

ନେପାଳର ଏହି ପଦକ୍ଷେପ ପରେ ଭାରତ ଓ ନେପାଳ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଛି | ସୀତାମଢିରେ ଦୁଇ ଦେଶର ସୀମାରେ ନେପାଳ ପୋଲିସ କିଭଳି ଭାରତୀୟ ନାଗରିକଙ୍କ ଉପରେ ଗୁଳି ଚଳାଇଥିଲା ତାହା ଅବିଶ୍ୱାସନୀୟ | ବିହାରରେ ସବୁ ଜାଗାରେ ନେପାଳ ସୀମା ନିକଟସ୍ଥ ଅଞ୍ଚଳରେ ୨୪ ଘଣ୍ଟା ସୀମା ସଶସ୍ତ୍ର ବାହିନୀ ନିୟୋଜିତ ରହିଥାନ୍ତି | ଏହିଭଳି ଘଟଣା ପରେ ପ୍ରଶ୍ନ ଉଠୁଛି କିଭଳି ନେପାଳ ପୋଲିସ ଭାରତୀୟ ନାଗରିକଙ୍କ ଉପରେ ହମଲା କରିଥିଲା | ତେବେ ସେଠାରେ କଣ ଘଟିଥାଇପାରେ ତା ଉପରେ ଟିକିଏ ନଜର ପକାନ୍ତୁ

୧. ଘଟଣା ସୀମା ନିକଟସ୍ଥ ସୋନବରସା ଥାନା ଅନ୍ତର୍ଗତ ପରସାଇନ ପଞ୍ଚାୟତ ଘଟିଛି | ଗାଁର କିଛି ଲୋକ ଲାଲବନ୍ଦୀ ଜାନକୀ ନଗର ସୀମାରେ କ୍ଷେତରେ କାମ କରିବାକୁ ଯାଇଥିଲେ |

୨. କ୍ଷେତକୁ କାମ କରିବାକୁ ଯାଇଥିବା ଲୋକଙ୍କ ଉପରେ ନେପାଳ ପୋଲିସ ହଠାତ ଗୁଳି ଚଳାଇଥିଲା |

୩. ଘଟଣାରେ ଜଣେ ୨୫ ବର୍ଷ ବୟସ୍କ ଯୁବକଙ୍କ ଘଟନସ୍ଥଳରେ ମୃତ୍ୟୁ ହୋଇଛି | ଏସଏସବି ଓ ସ୍ଥାନୀୟ ପୋଲିସ ମାମଲାର ଯାଞ୍ଚ କରୁଛି |

୪. ଆଘାତ ହୋଇଥିବା ଜଣେ ବ୍ୟକ୍ତିକୁ ନେପାଳ ପୋଲିସ ଘୋଷାଡ଼ି ଘୋଷାଡ଼ି ନେପାଳ ସୀମାକୁ ନେଇଯାଇଥିଲା | ଅନ୍ୟ ୩ଜଣ ଆଘାତଙ୍କୁ ସୀତାମଢି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି |   

୫. ମୃତକଙ୍କ ପିତା କହିଛନ୍ତି ଯେ ତାଙ୍କ ଜମି ନେପାଳ ନାରାୟଣପୁରରେ ରହିଛି | ସେହି ଜମିରେ ତାଙ୍କ ପୁତ୍ର କାମ କରୁଥିଲା | ଠିକ ସେତେବେଳେ ନେପାଳ ପୋଲିସ ତାଙ୍କ ଉପରେ ଗୁଳି ଚଳାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.