‘ଭାରତ ସହ କଥା ହୋଇ ଆମ ଅଞ୍ଚଳ ଫେରାଇ ଆଣିବୁ’- ଚୀନ ବଳରେ ମୁହଁ ଫୁଟାଣି ମାରୁଥିବା ଓଲି ଏବେ ଲଢେଇ ବଦଳରେ ଆଲୋଚନା କଥା କହିଲେ

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ, ୧୧|୦୬:    ନେପାଳ ସହ ଭାରତର ସୀମା ବିବାଦ ଦେଖାଦେଇଛି । ଭାରତର କିଛି ଅଂଶକୁ ନେପାଳ ନିଜ ମାନଚିତ୍ରରେ ସାମିଲ କରିବା ପରେ ବିବାଦ ବୃଦ୍ଧି ପାଇଛି । ତେବେ ଭାରତ ସହ କୁଟନୈତିକ ସ୍ତରରେ ଆଲୋଚନା କରି କଳାପାଣି ପ୍ରସଙ୍ଗକୁ ସମାଧାନ କରିହେ ହେବ ବୋଲି କହିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ।

ଓଲି କହିଛନ୍ତି ଯେ, ତଥ୍ୟ ଓ ଇତିହାସ ଆଧାରରେ ଭାରତ ସହ କଳାପାଣି ପ୍ରସଙ୍ଗରେ ପୂର୍ଣ୍ଣଛେଦ ପଡିବ । ଏହି ଅଞ୍ଚଳକୁ ଫେରାଇ ଅଣାଯିବ । ସେ ଅଭିଯୋଗ କରିଛନ୍ତି ଯେ, ଏଠାରେ ଭାରତ କାଳୀ ମନ୍ଦିର ପ୍ରତିଷ୍ଠା କରୁଛି । କାଲୀ ନଦୀ କୂଳରେ ଏହାକୁ ପ୍ରତିଷ୍ଠା କରାଯାଇଛି । ନେପାଳ ଭୂଖଣ୍ଡରେ ସେନାକୁ ମୁତୟନ କରି ଭାରତ ଏହା କରିଛି । ଏହି ନଦୀ ଦୁଇ ଦେଶର ସୀମାରୁ ଭାଗ କରିଥାଏ । ଭାରତ ଏହି ଅଞ୍ଚଳକୁ କବଜା କରି ରଖିଛି ବୋଲି ନେପାଲ ଦାବି କରି ଆସୁଛି ।ନିକଟରେ ନେପାଳ ସରକାର ଏକ ମ୍ୟାପ୍ ପ୍ରସ୍ତୁତ କରିଥିଲେ । ଏଥିରେ ଭାରତର ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରାକୁ ନେପାଳର ବୋଲି ଦାବି କରାଯାଇଥିଲା ।

ନେପାଳର ସଂସଦରେ ଗତ ୧୦ ତାରିକରେ ଦେଶର ନୂତନ ତଥା ବିବାଦୀୟ ମାନଚିତ୍ରରେ ଉପସ୍ଥାପିତ ହୋଇଥିବା ସାମ୍ବିଧାନିକ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଭାରତ ସହିତ ବିବାଦ ମଧ୍ୟରେ ନେପାଳ ଏହି ନୂତନ ମାନଚିତ୍ରରେ ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାଙ୍କୁ ନିଜ ଅଞ୍ଚଳରେ ଦର୍ଶାଇଛି । ଦେଶର ମାନଚିତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶିବମାୟା ଥମ୍ବୁଙ୍ଗଫେଙ୍କ ଦ୍ବାରା ଏହା ଉପସ୍ଥାପିତ ହୋଇଥିଲା ।

ଏହି ସମ୍ବିଧାନ ସଂଶୋଧନ ବିଲ୍ ବର୍ତ୍ତମାନ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଦସ୍ତଖତ ହେବା ମାତ୍ରେ ନୂତନ ମାନଚିତ୍ର ଆଇନ ମାନ୍ୟତା ପାଇବ । ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ନେପାଳ ସଂସଦରେ ଏହି ମାନଚିତ୍ର ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱଲୀ ପୁଣିଥରେ ଭାରତ ସହ ବୁଝାମଣା କରିବାକୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ଲିପୁଲେଖରୁ କୈଳାସ ମାନସରୋବର ଯିବା ରାସ୍ତା ଉଦଘାଟନ କରିଥିଲ ସେତେବେଳେ ନେପାଳ ଏହାର ବିରୋଧ କରିଥିଲା । ଏହାପରେ ମେ’ ୧୮ରେ ନେପାଳ ନୂଆ ନକ୍ସା ଜାରି କରିଥିଲା । ଭାରତ ସଫାସଫା କହିଥିଲା ଯେ, ନେପାଳକୁ ଭାରତର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବା ଉଚିତ୍ । ନେପାଳର ନେତୃତ୍ବଙ୍କୁ ଏପରି ମାହୋଲ ସୃଷ୍ଟି କରିବା ଉଚିତ୍ ଯାହାଦ୍ବାରା ଆଲୋଚନ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.