ନିଜର ରାଜନୈତିକ ସ୍ଵାର୍ଥ ହାସଲ ପାଇଁ ଭାରତ ସହ ଶତ୍ରୁତା ! ଜାଣିଶୁଣି ସୀମା ବିବାଦକୁ ଉସୁକାଉଛନ୍ତି ନେପାଳ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ ୧୬।୦୬: କରୋନା ମହାମାରୀ ସଙ୍କଟ ସମୟରେ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ କାରଣରୁ ଦୁଇ ଦେଶର ସଂପର୍କରେ ତିକ୍ତତା ଜାରି ରହିଛି। ଏହା ମଧ୍ୟରେ ବୈଦେଶିକ ବିଶେଷଜ୍ଞଙ୍କ ଅନୁଯାୟୀ ନେପାଳ ଘରୋଇ ସଙ୍କଟରୁ ନଜର  ହଟାଇବା ଲାଗି ଏବଂ  ଓଲି ସରକାର ନିଜର ରାଜନୈତିକ ମହତ୍ଵାକାଂକ୍ଷୀ ହାସଲ ପାଇଁ ଭାରତ ସହ ସୀମା ବିବାଦ ଲଗାଇଛନ୍ତି। ଚୀନର କଥାରେ ଭଳି ନେପାଳ ବାଡରେ କନା ପକାଇ ଭାରତ ସହ କଳି କରୁଛି। ନେପାଳର କମ୍ୟୁନିଷ୍ଟ ସରକାର ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜର ଅଞ୍ଚଳ ଦର୍ଶାଇ ବିବାଦୀୟ ନୂତନ ମାନଚିତ୍ର ସମ୍ବନ୍ଧିତ ବିଧେୟକକୁ ସଂସଦର ନିମ୍ନ ସଦନରେ ପାରିତ କରାଇ ସାରିଛି। ଏହା ଉପରେ ଭାରତ ପ୍ରତିକ୍ରିୟା ଦେଇ କହି ସାରିଛି ଯେ, ନେପାଳର କୃତ୍ରିମ କ୍ଷେତ୍ର ବିସ୍ତାରକୁ ସ୍ଵୀକାର କରାଯାଇ ପାରିବ ନାହିଁ।

ବିଶେଷଜ୍ଞ ରଞ୍ଜିତ ରାୟ କହିଛନ୍ତି ଘରୋଇ ରାଜନୀତିରେ ଓଲିଙ୍କ ଭବିଷ୍ୟତ ଅସୁରକ୍ଷିତ ରହିଛି। ଓଲି ନିଜର ପ୍ରଧାନମନ୍ତ୍ରୀ ଗାଦି ବଞ୍ଚାଇବାକୁ ଚାହୁଁଛନ୍ତି। ଆର୍ଥିକ ମୋର୍ଚ୍ଚାରେ ସରକାରଙ୍କ ବିଫଳତାକୁ ନେଇ ନେପାଳରେ ବହୁତ ପ୍ରଦର୍ଶନ ହୋଇଛି। ନେପାଳି କମ୍ୟୁନିଷ୍ଟ ପାର୍ଟି ଏବେ ଏହି ସବୁ ପ୍ରସଙ୍ଗ ଏବଂ ଘରୋଇ କନ୍ଦଳରୁ ନଜର ହଟାଇବା ଲାଗି ଭାରତ ସହ ଜାଣିଶୁଣି ସୀମା ବିବାଦ ଆରମ୍ଭ କରିଛି। ଅନ୍ୟପଟେ ଚୀନ ନେପାଳରେ  ବିପୁଳ ମାତ୍ରାରେ ନିବେଶ କରୁଛି। ଭାରତକୁ ଚେକ୍‌ ଦେବା ଲାଗି ଚୀନ ଏବେ ନେପାଳକୁ ମୋହର କରୁଛି। ତେଣୁ ନେପାଳ ଏବେ ଚୀନ ପ୍ରରୋଚନାରେ ପଡି ଭାରତ ସହିତ ସୀମା ବିବାଦ ଆରମ୍ଭ କରି ଦେଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଗତ କିଛି ମାସ ହେବ ସୀମା ବିବାଦକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଛି। ବିଶେଷ କରି କେପି ଶର୍ମା ଓଲିଙ୍କ କମ୍ୟୁନିଷ୍ଟ ସରକାର କ୍ଷମତାକୁ ଆସିବା ପରେ ଭାରତ ପ୍ରତି ନେପାଳର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ଚୀନର ପ୍ରରୋଚନାରେ ପଡି  ଭାରତ ବିରୋଧୀ ଆଭିମୁଖ୍ୟ ନେଇ କାମ କରୁଥିବା ଓଲି ସରକାର ଏବେ ମାନଚିତ୍ର ପରିବର୍ତ୍ତନର ନାଟକ କରୁଛନ୍ତି।  ତାହା ପଛରେ ତାଙ୍କର ରାଜନୈତିକ ଅଭିସନ୍ଧି ରହିଛି। ନେପାଳରେ ଭାରତ ବିରୋଧୀ ମନୋଭାବ ସୃଷ୍ଟି କରି ନିଜର ରାଜନୈତିକ ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛନ୍ତି। ବିବାଦର ସମାଧାନ ପାଇଁ ଭାରତ ସହିତ ଆଲୋଚନା ନକରି ଓଲି ସରକାର ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦୁଇ ଦେଶର ଦ୍ଵିପାକ୍ଷିକ ସଂପର୍କକୁକ ବିଗାଡୁଛି।

ନେପାଳ ଅଧିକାଂଶ କ୍ଷେତ୍ରରେ ଭାରତ ଉପରେ ନିର୍ଭରଶୀଳ। ସ୍ଥଳଭାଗରେ ପରିବେଷ୍ଟିତ ଏହି କ୍ଷୁଦ୍ର ଦେଶ ଦୁନିଆ ସହ ଯୋଗାଯୋଗ, ଚଳପ୍ରଚଳ ଓ ବାଣିଜ୍ୟ ବ୍ୟବସାୟ ପାଇଁ ଭାରତ ହେଉଛି ଏହାର ପ୍ରବେଶ ପଥ। ଭାରତରୁ ରିହାତି ଦରରେ ନେପାଳକୁ ସାମଗ୍ରୀ ମିଳିଥାଏ। ଏହା ସତ୍ଵେ ସଂପର୍କର ବାସ୍ତବିକତାକୁ ଭୁଲି ନେପାଳ ପ୍ରଧାନମନ୍ତ୍ରୀ ଚୀନର ଗୋଡାଣିଆ ହୋଇ  ନିଜ ପାଇଁ ଗାତ ଖୋଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.