ଏବେ କରୋନା ପାଇଁ ଭାରତକୁ ଦାୟୀ କଲା ନେପାଳ, କହିଲା- ଏହି ଦେଶର ସଂକ୍ରମଣ ଚୀନ, ଇଟାଲୀଠୁ ବି ଅଧିକ ମାରାତ୍ମକ

Published By : Prameya-News7 Bureau | May 20, 2020 IST

କାଠମାଣ୍ଡୁ ୨୦।୦୫: ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ତିକ୍ତତା ବଢିବାରେ ଲାଗିଛି। ଏହା ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲି କରୋନା ଭୂତାଣୁ ପାଇଁ ମଧ୍ୟ ଭାରତକୁ ଦାୟୀ କରିଛନ୍ତି। ସେ ଭାରତରୁ ନେପାଳ ଆସିଥିବା କରୋନା ଭୂତାଣୁ ସବୁଠୁ ଅଧିକ ମାରାତ୍ମକ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଭାରତରୁ ଅବୈଧ ଭାବେ ନେପାଳରେ ପ୍ରବେଶ କରିଥିବା ଲୋକଙ୍କ କାରଣରୁ ଦେଶରେ ପଜିଟିଭ୍ କେସ୍‌ ସଂଖ୍ୟା ବୃଦ୍ଧି ଘଟିଛି। ନେପାଳରେ ବୁଧବାର ମୋଟ୍‌ ସଂକ୍ରମିତ ସଂଖ୍ୟା ୪୨୭ରେ ପହଞ୍ଚିଛି। ଅନ୍ୟପଟେ ନେପାଳ ସୀମା ବିବାଦ ମଧ୍ୟରେ ଦେଶର ନୂତନ ରାଜନୈତିକ ଓ ଭୌଗୋଳିକ ନକ୍ସା ଜାରି କରିଛନ୍ତି।

କୋଭିଡ୍-୧୯ ମହାମାରୀକୁ ନେଇ ଅଲି ମଙ୍ଗଳବାର ସଂସଦରେ କହିଥିଲେ ଯେ, ନେପାଳ ବାହାରୁ ଆସିଥିବା ଲୋକଙ୍କ କାରଣରୁ ଦେଶରେ କରୋନା ସଂକ୍ରମଣକୁ ରୋକିବା ମୁସ୍କିଲ ହୋଇ ପଡିଛି। ଆମେ ସୀମାରେ ଅନୁପ୍ରବେଶ କରି ପାରିବୁ ନାହିଁ। ସେ ଏଥିପାଇଁ କରୋନା ଭାଇରସ୍‌ ଲକ୍‌ଡାଉନ୍‌ର ଉଲ୍ଲଂଘନ କରିଥିବା ଲୋକଙ୍କୁ ଦାୟୀ କରିଛନ୍ତି। ବିଶେଷ କରି ଯେଉଁମାନେ ଭାରତରୁ ନେପାଳ ସୀମାରେ ଛପି ଛପି ଦେଶରେ ପ୍ରବେଶ କରିଛନ୍ତି।

ଅଲି କହିଛନ୍ତି ଭାରତରୁ ଆସୁଥିବା କରୋନା ଭାଇରସ୍‌ ଇଟାଲୀ ଓ ଚୀନରୁ ଆସୁଥିବା ସଂକ୍ରମିତଙ୍କ ତୂଳନାରେ ଅଧିକ ରହିଛି। ଯେଉଁ ଲୋକ ଅବୈଧ ଭାବେ ଭାରତରୁ ଆସୁଛନ୍ତି, ସେମାନେ ଦେଶରେ ସଂକ୍ରମଣ କରୁଛନ୍ତି। ସ୍ଥାନୀୟ ପ୍ରତିନିଧି ଓ ପାର୍ଟି ନେତା ବିନା ଯାଞ୍ଚରେ ଲୋକଙ୍କୁ ଏଠାକୁ ଆଣିବାରେ ଦାୟୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.