ନିଜ ପାର୍ଟିରୁ ତଡା ଖାଇଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ରଦ୍ଦ ହେଲା ସଦସ୍ୟତା

Published By : Prameya-News7 Bureau | January 24, 2021 IST

କାଠମାଣ୍ଡୁ ୨୪।୦୧: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ନିଜର ପାର୍ଟିରୁ ବହିଷ୍କାର କରାଯାଇଛି। ଓଲିଙ୍କ ବିରୋଧୀ ଗୋଷ୍ଠୀର ନେତୃତ୍ଵ ନେଉଥିବା ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ଗୋଷ୍ଠୀ ଦଳ ବିରୋଧୀ କାର୍ଯ୍ୟ ପରେ ଓଲିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ ଏହାର ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଲିଙ୍କ ସଦସ୍ୟତା ରଦ୍ଦ କରାଯାଇଛି ଏବଂ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଓଲି ଓ ତାଙ୍କ ସମର୍ଥକଙ୍କ ଅନୁପସ୍ଥିତିରେ ନିଆଯାଇଛି। ଗତ ବର୍ଷ ଡିସେମ୍ବର ୨୨ରେ ଓଲିଙ୍କୁ କମ୍ୟୁନିଷ୍ଟ ପାର୍ଟିରେ ସହ ସଭାପତି ପଦରୁ ହଟାଇ ଦିଆଯାଇଥିଲା।

ନେପାଳ କମ୍ୟୁନିଷ୍ଟ ପାର୍ଟିର ଏହି ବୈଠକରେ ଓଲି ଗୋଷ୍ଠୀର ନେତା ଯୋଗ ଦେଇନଥିଲେ। ଏମିତିରେ ପ୍ରଚଣ୍ଡ ସମର୍ଥକ ନେତାଙ୍କ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ଓଲି ମାନିବାକୁ ମନା ମଧ୍ୟ କରି ପାରନ୍ତି। ପାର୍ଟିରେ ବିରୋଧୀ ଗୋଷ୍ଠୀର ନେତୃତ୍ଵ ନେଉଥିବା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଗତ ଅନେକ ମାସ ହେବ ଓଲିଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଥିଲେ। ସେହି ଦିନଠୁ ଆଶଙ୍କା କରାଯାଉଥିଲା ଯେ, ରାଜନୈତିକ ଅସ୍ଥିରତାର ଦୋଛକିରେ ଛିଡା ହୋଇଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଯିବ।

କେମିତି ହେଲା ନେପାଳ କମ୍ୟୁନିଷ୍ଟ ପାର୍ଟି

ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ଗଠନ ୨୦୧୮ରେ ପ୍ରଧାନମନ୍ତ୍ରୀ ଓଲି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ମିଶି ଗଠନ କରିଥିଲେ। ଏହା ପୂର୍ବରୁ ପ୍ରଚଣ୍ଡଙ୍କ ପାର୍ଟିର ନାମ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ(ମାଓଇଷ୍ଟ) ରହିଥିବା ବେଳେ ଓଲିଙ୍କ ଗୋଷ୍ଠୀର ପାର୍ଟିର ନାମ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ(ଏକକୃତ ମାର୍କସିଷ୍ଟ) ଥିଲା। ଦୁଇ ଦଳ ପରସ୍ପର ମଧ୍ୟରେ ବିଲୟ ହୋଇ ନେପାଳ କମ୍ୟୁନିଷ୍ଟ ପାର୍ଟି କିମ୍ବା କମ୍ୟୁନିଷ୍ଟ  ପାର୍ଟି ଅଫ ନେପାଳ ଗଠନ କରିଥିଲେ।

କେମିତି ଆରମ୍ଭ ହେଲା ମତଭେଦ

ଦୁଇ ଦଳ ମଧ୍ୟରେ ୨୦୨୦ରେ ମତଭେଦ ସେହି ସମୟରେ ଘନୀଭୂତ ହୋଇଥିଲା, ଯେବେ ପ୍ରଚଣ୍ଡ ଓଲିଙ୍କ ଉପରେ ପାର୍ଟିର ବିନା ପରାମର୍ଶରେ ସରକାର ଚଳାଉଥିବା ଅଭିଯୋଗ  କରିଥିଲେ। ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ବୈଠକ ପରେ ସମସ୍ୟାର ସମାଧାନ ହୋଇଥିଲା। ମାତ୍ର ପାର୍ଟିରେ ଏହି ଶାନ୍ତି ଅଧିକ ଦିନ ପର୍ଯ୍ୟନ୍ତ ରହିନଥିଲା ଏବଂ ମନ୍ତ୍ରିମଣ୍ଡଳର ବଣ୍ଟନକୁ ନେଇ ପୁଣି ଥରେ ଟଣା ଓଟରା ଆରମ୍ଭ ହୋଇଥିଲା। ଓଲି ଅକ୍ଟୋବର ମାସରେ ପ୍ରଚଣ୍ଡଙ୍କ ବିନା ସହମତିରେ ନିଜ କ୍ୟାବିନେଟ୍‌ରେ ଅଦଳ ବଦଳ କରିଥିଲେ। ସେ ପାର୍ଟି ଭିତରେ ଏବଂ ବାହାରେ ଅନେକ ସମିତିରେ ଅନ୍ୟ ନେତାଙ୍କ ସହ ଆଲୋଚନା ବିନା ଅନେକ ଲୋକଙ୍କୁ ନିଯୁକ୍ତ କରିଥିଲେ। ଏହା ପରେ ଦୁଇ ଗୋଷ୍ଠୀ ଭିତରେ ମତଭେଦ ଅଧିକ ଘନୀଭୂତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.