ଦର୍ଶକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ଓଲି ସରକାର, ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଉପରୁ ହଟିଲା କଟକଣା

Published By : Prameya-News7 Bureau | July 13, 2020 IST

କାଠମାଣ୍ଡୁ ୧୩।୦୭: ନେପାଳର କେବୁଲ ଅପରେଟର ଓଲି ସରକାରଙ୍କ ଇସାରାରେ ଭାରତର ଘରୋଇ ନ୍ୟୁଜ୍ ଚ୍ୟାନେଲ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରି ନେଇଛନ୍ତି। ରବିବାର ସନ୍ଧ୍ୟାରୁ ନେପାଳରେ ଭାରତୀୟ ଚ୍ୟାନେଲର ପ୍ରସାରଣ ଆରମ୍ଭ ହୋଇ ଯାଇଛି। ମ୍ୟାକ୍ସ ଡିଜିଟାଲ ଟେଲିଭିଜନର ଉପ ସଭାପତି ଧୁର୍ବା ଶର୍ମା କେବୁଲ ଅପରେଟଙ୍କ ସହିତ ବୈଠକ ପରେ ଏହି ନିଷିଦ୍ଧାଦେଶ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଶର୍ମା କହିଛନ୍ତି, କିଛି ଆପତ୍ତିଜନକ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ଚ୍ୟାନେଲ ଉପରେ ଏବେ ମଧ୍ୟ କଟକଣା  ବଳବତ୍ତର ରହିବ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି  ଚୀନ୍ ରାଷ୍ଟ୍ରଦୂତଙ୍କୁ ନେଇ ହୋଇଥିବା ଖବର ପ୍ରସାରଣରେ ଅସନ୍ତୁଷ୍ଟ ହୋଇ ଦେଶରେ ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍‌ର ପ୍ରସାରଣ ଉପରେ କଟକଣା ଲଗାଇଥିଲେ। ଶର୍ମା କହିଛନ୍ତି, କିଛି ଚ୍ୟାନେଲ ଏବେ ବି ଆପତ୍ତିଜନକ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ଏବଂ ସେହି ଚ୍ୟାନେଲଗୁଡିକ ଉପରେ କଟକଣା ଜାରି ରହିଛି। ମାଇ ରିପବ୍ଲିକାର ରିପୋର୍ଟ ଅନୁଯାୟୀ, ବଡ ସଂଖ୍ୟାରେ ନେପାଳି ଦର୍ଶକ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍‌ ସବସ୍କ୍ରାଇ କରି ରଖିଛନ୍ତି। ତେଣୁ ଦର୍ଶକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ନେପାଳର କେବୁଲ ଅପରେଟଙ୍କୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେବାକୁ ପଡିଛି।

ଶର୍ମା କହିଛନ୍ତି,  ଭାରତୀୟ ନ୍ୟୁଜ୍ ଚ୍ୟାନେଲକୁ ନେପାଳରେ ପ୍ରସାରଣ କରିବାକୁ ଅନୁମତି ଦିଆଯାଇଛି। ଯଦି ସେମାନେ ପୁନର୍ବାର ଆପତ୍ତିଜନକ କାର୍ଯ୍ୟକ୍ରମ ପ୍ରସାରଣ କରନ୍ତି ତେବେ ପୁଣି ଥରେ କଟକଣା ଲାଗୁ କରାଯିବ। ଏହା ପୂର୍ବରୁ ନେପାଳ ସୀମା ବିବାଦ କାରଣରୁ କାର୍ଯ୍ୟାନୁଷ୍ଠାନସ୍ଵରୂପ ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍‌ର ପ୍ରସାରଣ ଉପରେ ରୋକ୍ ଲଗାଇଥିଲେ। ନେପାଳ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଆଦେଶ ଜାରି କରିନଥିଲା। କିନ୍ତୁ ନେପାଳର କେବୁଲ ଟିଭି ଅପରେଟର ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍‌ର ପ୍ରସାରଣ ବନ୍ଦ କରି ଦେଇଥିଲେ। ମାତ୍ର ଦେଶରେ ଭାରତୀୟ ସରକାରୀ ନ୍ୟୁଜ୍ ଚ୍ୟାନେଲ ଡିଡି ନ୍ୟୁଜ୍‌ ଉପରେ କୌଣସି କଟକଣା ଲଗାଯାଇନଥିଲା।

ରାଷ୍ଟ୍ରବାଦ ସାହାରାରେ କ୍ଷମତା ଚାହୁଁଛନ୍ତି ଓଲି

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରାଷ୍ଟ୍ରବାଦ ସାହାରାରେ କ୍ଷମତାରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ସେ କେବେ ମାନଚିତ୍ର ବିବାଦ ତ କେବେ ନାଗରିକତା ଆଇନ ଜରିଆରେ ଭାରତ ବିରୋଧରେ କଡା ପଦକ୍ଷେପ ନେଉଛନ୍ତି। ଓଲି ନିକଟରେ ନିଜ ସରକାର ଭାଙ୍ଗିବାକୁ ଭାରତ ଷଡଯନ୍ତ୍ର ରଚୁଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ଚୀନ ରାଷ୍ଟ୍ରଦୂତଙ୍କ ସହିତ ତାଙ୍କର ନିକଟତରକୁ ନେଇ ନେପାଳରେ ବିରୋଧ ଆରମ୍ଭ ହୋଇ ଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.