ଚୀନ୍ ବିରୋଧରେ ଖବର ଛାପିଥିଲେ, ଏବେ ନଦୀ କୂଳରୁ ମିଳିଲା ମୃତଦେହ : ନେପାଳରେ ସାମ୍ବାଦିକଙ୍କ ରହସ୍ୟଜନକ ମୃତ୍ୟୁ

Published By : Prameya-News7 Bureau | August 15, 2020 IST

କାଠମାଣ୍ଡୁ, ୧୫|୦୮:  ନେପାଳରେ ଚାପି ଦିଆଯାଉଛି ସାମ୍ବାଦିକଙ୍କ ସ୍ୱର । ଚୀନ ବିରୋଧରେ ଖବର ଛାପିଥିବା ଜଣେ ସାମ୍ବାଦିକଙ୍କ ମୃତଦେହ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଛି । ତେବେ ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ମୃତ୍ୟୁବରଣ କରିଥିବା ସାମ୍ବାଦିକ ହେଲେ ବଳରାମ ବନିୟା ।

ଏହି ୫୦ ବର୍ଷୀୟ ସାମ୍ବାଦିକଙ୍କ ମୃତଦେହ ବାଗମତି ନଦୀ କୂଳରୁ ଉଦ୍ଧାର କରାଯାଇଛି । ଏନେଇ ହିମାଲୟାନ ଟାଇମସର ରିପୋର୍ଟରେ ପ୍ରକାଶିତ ହୋଇଛି । ତେବେ ସାମ୍ବାଦିକଙ୍କ ମୃତ୍ୟୁ ବାବଦରେ ମକଓ୍ୱାନପୁର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରଥମେ ବଳରାମଙ୍କ ମୃତଦେହ କିଛି ସ୍ଥାନୀୟ ବ୍ୟକ୍ତି ଦେଖିବାକୁ ପାଇଥିଲେ । ସେ ବଞ୍ଚିଥିବେ ଭାବି ତାଙ୍କୁ ହସ୍ପିଟାଲ ପଠାଯାଇଥିଲା । ନିକଟରେ ତାଙ୍କ ପରିବାର ଲୋକେ ବଳରାମଙ୍କ ନିଖୋଜ ବାବଦରେ ଅଭିଯୋଗ କରିଥିଲେ ।

କାଠମାଣ୍ଡୁ ପୋଷ୍ଟର ସୂଚନାନୁସାରେ, ବଳରାମ କାନ୍ତିପୁର ଡେଲ୍ଲୀରେ କାମ କରୁଥିଲେ । ଏହା ଏକ ନେପାଳୀ ଖବର କାଗଜ । ବଳରାମ ପ୍ରାୟତଃ ରାଜନୈତିକ ଓ ସଂସଦ ରିପୋର୍ଟିଂ କରନ୍ତି । ଏପରିକି ସେ ଅନେକ ସମୟକେ ନେପାଳ ସରକାର ଓ ପ୍ରଶାସନକୁ ସମାଲୋଚନା କରି ମଧ୍ୟ ଖବର ପ୍ରକାଶ କରିଥାନ୍ତି । ନିକଟରେ ସେ ଚାଇନା ବିରୋଧରେ ଏକ ଖବର ଲେଖିଥିଲେ । ଚାଇନା ନେପାଳର ଗୋର୍ଖା ଜିଲ୍ଲାର ରୁଇ ଗ୍ରାମକୁ ଅକ୍ତିଆର କରିବା ନେଇ ସେ ଖବରରେ ପ୍ରକାଶ କରିଥିଲେ ।

ସାମ୍ବାଦିକଙ୍କ ମୃତ୍ୟୁ ସେହି ସମୟରେ ହୋଇଛି, ଯେତେବେଳେ  ଭାରତ ଓ ନେପାଳ ମଧ୍ୟରେ କଳାପାଣୀ, ଲିପୁଲେଖ ଓ ଲିମ୍ପିୟାଧୂରା ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ଭାରତର ଏହି ସବୁ ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.