କାଠମାଣ୍ଡୁ ୪/୬: ନେପାଳ ସରକାର ଫେରୁଥିବା ନିଜ ନାଗରିକଙ୍କ ପାଇଁ ବର୍ଡ଼ର ଖୋଲି ଦେଇଛନ୍ତି। ଏବେ ନେପାଳର ଯେଉଁ ନାଗରିକ ନିଜ ଦେଶକୁ ଫେରିବାକୁ ଚାହୁଁଥିଲେ ସେମାନେ ଯାଇ ପାରିବେ। ଭାରତ ଏବଂ ନେପାଳ ସୀମାକୁ ନେପାଳୀ ନାଗରିକଙ୍କ ପାଇଁ ଖୋଲି ଦିଆଯାଇଛି। ଏହି ବର୍ଡ଼ର ମାର୍ଚ୍ଚରୁ ବନ୍ଦ ଥିଲା।
ନେପାଳ ନିଜ ନାଗରିକଙ୍କୁ ଫେରିବାର ଅନୁମତି ସେହି ସମୟରେ ଦେଇଛି,ଯେତେବେଳେ ଭାରତ ସହ ନେପାଳର ସୀମା ବିବାଦ ଚାଲିଛି। ନେପାଳ ସରକାର ନିଜ ନୂଆ ରାଜନୈତିକ ନକ୍ସା ପ୍ରସ୍ତୁତ କରିଛି,ଯେଉଁଥିରେ ଭାରତର କଳାପାଣି,ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ମଧ୍ୟ ସାମିଲ କରାଯାଇଛି।
ଏହାକୁ ନେଇ ଗତ କିଛି ସମୟରୁ ଭାରତ ଏବଂ ନେପାଳର ସମ୍ପର୍କରେ ତିକ୍ତତା ଚାଲୁଛି। ନେପାଳ ଭାରତର ପୁରୁଣା ମିତ୍ର ରହିଛି। ନେପାଳର ନୂଆ ରାଜନୈତିକ ନକ୍ସାକୁ ନେଇ ଭାରତ ମଧ୍ୟ ନିଜର ପ୍ରତିକ୍ରିୟା ଦେଇ ସାରିଛି। ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ନେପାଳକୁ ଭାରତର ସର୍ବୋଚ୍ଚ କ୍ଷମତାକୁ ସମ୍ମାନ କରିବା ଉଚିତ୍।
ଭାରତ ସହ ତିକ୍ତତାକୁ ଦେଖି ନେପାଳ ନିଜ ସୀମାବର୍ତ୍ତି ଅଞ୍ଚଳରେ ସେନା ମୁତୟନକୁ ମଞ୍ଜୁରୀ ଦେଇଛି। ପ୍ରଥମ ଥର ପାଇଁ ନେପାଳ-ଭାରତ ସୀମାରେ ସେନା ମୁତୟନ ହେବାକୁ ଯାଉଛି। ଏବେ ସୁଦ୍ଧା ଭାରତ ତରଫରୁ ସୀମାର ତତ୍ତ୍ବାବଧାନ ଦାୟିତ୍ବ ଏସଏସବି କରୁଥିଲା। ନେପାଳ ତରଫରୁ ସଶସ୍ତ୍ର ପ୍ରହରୀ ବଳ ଅଧୀନରେ ସୁରକ୍ଷା ଦାୟିତ୍ବ ଥିଲା।
ନେପାଳ ସରକାର ନିଜ ସୀମାକୁ ବନ୍ଦ କରିବାକୁ ଏବଂ ନିର୍ଦ୍ଧାରିତ ସୀମା ଅଞ୍ଚଳରୁ ହିଁ ନେପାଳରେ ଏଣ୍ଟ୍ରି ଦେବାକୁ ନିଷ୍ପତ୍ତି କରିଛି। ଏପରି ପ୍ରଥମ ଥର ହୋଇଛି। ନେପାଳ ଏବଂ ଭାରତ ମଧ୍ୟରେ ପାଖାପାଖି ୧,୭୦୦କିଲୋମିଟରର ଖୋଲା ସୀମା ରହିଛି।
ଏବେ ଯାଏଁ ନେପାଳ ଯିବା ଆସିବା କରୁଥିବା ଭାରତୀୟ ନାଗରିକଙ୍କୁ ବିନା ରୋକଠୋକରେ ଏହି ଖୋଲା ସୀମାରେ ଏଣ୍ଟ୍ରି ମିଳୁଥିଲା। ନେପାଳ ସରକାରଙ୍କ ତାଜା ନିଷ୍ପତ୍ତିରୁ ଏବେ କେବଳ ନିର୍ଦ୍ଧାରିତ ସୀମାରୁ ହିଁ ନେପାଳକୁ ପ୍ରବେଶ କରିବାର ଅନୁମତି ମିଳିବ। ଯେଉଁ ଦିନ ନେପାଳ ସରକାର ଭାରତୀୟ ଅଞ୍ଚଳକୁ ମିଶାଇ ନିଜର ନୂଆ ନକ୍ସା ଜାରି କରିଥିଲା,ସେହି ସମୟରେ ଏହି ନିଷ୍ପତ୍ତି ନିଆଯାଇଥିଲା।