ଭାରତୀୟ ସେନା ମୁଖ୍ୟଙ୍କ ବୟାନ ନେପାଳ ଗୋରଖାଙ୍କ ଭାବନାକୁ ଆଘାତ ଦେଇଛି : ନେପାଳ ପ୍ରତିରକ୍ଷା ମନ୍ତ୍ରୀ

Published By : Prameya-News7 Bureau | May 26, 2020 IST

କାଠମାଣ୍ଡୁ ୨୬।୫: ଭାରତର ସେନା ମୁଖ୍ୟ ଏମଏମ ନରଭଣେ ମେ’ ୧୫ ତାରିଖରେ ଏକ ବିବୃତ୍ତିରେ କହିଥିଲେ ଯେ, କାଲାପାନିକୁ ନେଇ ନେପାଳ ଅନ୍ୟ କାହାର ପ୍ରରୋଚନାରେ ବିରୋଧରେ କରୁଛି । ସେନା ମୁଖ୍ୟଙ୍କ ଚୀନ୍ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହି ବୟାନକୁ ନେଇ ବର୍ତ୍ତମାନ ନେପାଳ ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଇଶ୍ବର ପୋଖରେଲ ପ୍ରତିକ୍ରିୟା ରଖିଛନ୍ତି। ନେପାଳର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସେନା ମୁଖ୍ୟଙ୍କ ବୟାନ ନେପାଳ ଗୋରଖାଙ୍କ ଭାବନାକୁ ଆଘାତ ଦେଇଛି । ଯେଉଁମାନେ ବହୁ ସମୟ ଧରି ଭାରତ ପାଇଁ ବଳିଦାନ କରିଆସିଛନ୍ତି ।

'ଦି ରାଇଜିଂ ନେପାଳ' ନ୍ୟୁଜ୍ ଆଉଟଲେଟ୍ କୁ ଦେଇଥିବା ଏକ ସାକ୍ଷାତକାରରେ ନେପାଳର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସେନା ମୁଥ୍ୟ ଜେନେରାଲ ଏମ୍ ଏମ୍ ନରଭନେଙ୍କ କୂଟନୈତିକ ବିବାଦରେ ଚୀନ୍ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ନିନ୍ଦନୀୟ । ସେ କହିଛନ୍ତି ଯେ, ଯଦି ଆବଶ୍ୟକ ହେଲେ ନେପାଳ ସେନା ମଧ୍ୟ ଲଢେଇ କରିବ।

ପୋଖରେଲ କହିଛନ୍ତି ଯେ, ସେନା ମୁଖ୍ୟଙ୍କ ଏହି ବୟାନ ନେପାଳର ଗୋରଖାଙ୍କ ଭାବନାକୁ ମଧ୍ୟ ଆଘାତ ଦେଇଛି । ଯେଉଁମାନେ ଭାରତର ସୁରକ୍ଷା ପାଇଁ ନିଜ ଜୀବନ ଦେଇଛନ୍ତି । ତାଙ୍କ ପାଇଁ (ଭାରତୀୟ ସେନା ମୁଖ୍ୟ) ଗୋରଖା ଫୋର୍ସ ସମ୍ମୁଖରେ ମୁଣ୍ଡ ଉଠାଇ ଛିଡା ହେବା ମଧ୍ୟ ଏବେ କଷ୍ଟକର ହେବ। ସେ ଭାରତୀୟ ସେନା ମୁଖ୍ୟଙ୍କ ବୟାନକୁ ଏକ ରାଜନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି ଏବଂ ସେନା ମୁଖ୍ୟଙ୍କଠାରୁ ଏଭଳି ବୟାନ ଆଶା କରାଯାଉନାହିଁ ବୋଲି ସେ କହିଛନ୍ତି।

ଭାରତୀୟ ସୁରକ୍ଷା ବାହିନୀରେ ସ୍ବାଧୀନତା ପୂର୍ବରୁ ନେପାଳ ଗୋରଖାମାନେ ରହିଆସିଛନ୍ତି ଏବଂ ସେମାନଙ୍କୁ ଭାରତ-ନେପାଳ ବିବାଦରୁ ସର୍ବଦା ଦୂରେଇ ରଖାଯାଇଛି । ଭାରତୀୟ ସେନାରେ ପ୍ରାୟ ୪୦ଟି ବାଟାଲିୟନ ଅଛି । ଯେଉଁଥିରେ ନେପାଳ ସୈନିକମାନେ ବହୁ ସଂଖ୍ୟାରେ ଅଛନ୍ତି । ତେବେ ନେପାଳର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ପ୍ରଥମ ଥର ପାଇଁ ଗୋରଖା ସମ୍ପ୍ରଦାୟକୁ ଭାରତ-ନେପାଳ ବିବାଦକୁ ଟାଣି ନେଇଛନ୍ତି ।

ମେ’ ୮ରେ ଡାରସୁଲା-ଲିପୁଲେଖରେ ଭାରତ ଏହି ରାସ୍ତାକୁ ଉଦଘାଟନ କରିଥିଲା । ନେପାଳ ଏହି ଅଞ୍ଚଳଗୁଡିକ ଉପରେ ନିଜର ଦାବି ଉପସ୍ଥାପନ କରୁଛି। କିଛି ଦିନ ପରେ ସେନା ମୁଖ୍ୟ ନରଭନେ ଏକ ବୟାନ ଦେଇଛନ୍ତି ଯେ, ଲିଙ୍କ୍ ରୋଡ୍ ଭାରତୀୟ ଅଞ୍ଚଳରେ ଅଛି । ତେଣୁ ନେପାଳର ବିରୋଧ କରିବାର କୌଣସି କାରଣ ନାହିଁ। ସେ କହିଛନ୍ତି ଯେ, ଅନେକ ଯୁକ୍ତି ଅଛି ଯାହା ଆଧାରରେ ଅନୁମାନ କରାଯାଇପାରେ ଯେ ସେ ହୁଏତ ଅନ୍ୟର ଆଦେଶରେ ଏହି ପ୍ରସଙ୍ଗ ଉଠାଇଥିବେ ଏବଂ ଏହା ଏକ ବଡ ସମ୍ଭାବନା।

ତେବେ ନେପାଳ ସେନା ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିଛି । ନେପାଳର ସେନା ମୁଖପାତ୍ର ଜେନେରାଲ ଭିଗାନ ଦେବ ପାଣ୍ଡେ ନରଭନେଙ୍କ ବୟାନ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ଏବଂ ସେ କୌଣସି ରାଜନୈତିକ କ୍ଷେତ୍ରରେ ଜଡିତ ହେବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି। ସୋମବାର ମଧ୍ୟ ନେପାଳର ସେନା ମୁଖପାତ୍ର ସମାନ ପୁରୁଣା ସ୍ଥିତିକୁ ବଜାୟ ରଖିଛନ୍ତି ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମତ ଉପରେ ମନ୍ତବ୍ୟ ଦେବାକୁ ତାଙ୍କୁ ଅନୁମତି ଦିଆଯାଇ ନାହିଁ ବୋଲି କହିଛନ୍ତି।

ପୋଖରେଲ କହିଛନ୍ତି ଯେ, କାଠମାଣ୍ଡୁର ଆବଶ୍ୟକତା ଅନୁଯାୟୀ ତାଙ୍କ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେ କହିଛନ୍ତି, ଆମର ସମ୍ବିଧାନ ଏବଂ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ସଠିକ୍ ସମୟ ଆସିଲେ ସେନା ଏହାର ଭୂମିକା ଗ୍ରହଣ କରିବ, ଯଦି ଆବଶ୍ୟକତା ପଡେ ତେବେ ଆମେ ଲଢିବା । ସେ ଏହା ମଧ୍ୟ କହିଛନ୍ତି ଯେ, ନେପାଳ ବିଶ୍ବାସ କରେ ଯେ, କାଲାପାନି ପ୍ରସଙ୍ଗର ସମାଧାନ ରାଜନୈତିକ ବାର୍ତ୍ତା ମାଧ୍ୟମରେ ବାହାର କରାଯାଉ ।

ପୋଖରେଲଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ନେପାଳ ଅକ୍ଟୋବରରେ ଚୀନ୍ ସହିତ ଏକ ଚୁକ୍ତିନାମା ଉପରେ କାମ ଆରମ୍ଭ କରିଛି । ଏହି ଚୁକ୍ତିନାମା ଅନୁଯାୟୀ ନେପାଳକୁ ତିବ୍ଦତ ସହରରୁ ସାମଗ୍ରୀ ଆଣିବାକୁ ଅନୁମତି ଦିଆଯିବ । ନେପାଳ ବର୍ତ୍ତମାନ ରେଳ-ସଡକ ପରିବହନ ସେବା ଦ୍ବାରା ୯ ଦିନ ମଧ୍ୟରେ ଚୀନରୁ ସାମଗ୍ରୀ ଯୋଗାଣ ପାଇବ । ୨୦୧୫ରେ ଭାରତ-ନେପାଳ ସୀମାରେ ଅଘୋଷିତ ଅର୍ଥନୈତିକ ଅବରୋଧ ପରଠାରୁ ଭାରତ ବିରୋଧୀ ମନୋଭାବ ବଢିବାରେ ଲାଗିଛି । ୨୦୧୫ ପରଠାରୁ ନେପାଳରେ ଭାରତ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚାହିଦା ବୃଦ୍ଧି ପାଇଛି । ଚୀନ୍ ସହିତ ହୋଇଥିବା ଚୁକ୍ତି ମଧ୍ୟ ଏହି ରଣନୀତିର ଏକ ଅଂଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.