ନେପାଳ କମ୍ୟୁନିଷ୍ଟ ପାର୍ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ଟଳିନି ଓଲିଙ୍କ ସଂକଟ
18/07/2020 at 9:36 PM

କାଠମାଣ୍ଡୁ ୧୮।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଅବସାନ ଲାଗି ନେପାଲ କମ୍ୟୁନିଷ୍ଟ ପାର୍ଟି (ଏନସିପି) ବୈଠକ ସମାପ୍ତ ହୋଇଛି। ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ନେଇ କୌଣସି ନିଷ୍ପତ୍ତି ହୋଇପାରିନଥିବା ଜଣାପଡିଛି। ଏନସିପିର ୯ ସଦସୀୟ କେନ୍ଦ୍ରୀୟ ସଚିବାଳୟ ବୈଠକରେ ରବିବାର ସ୍ଥାୟୀ ସମିତିରେ ଉପସ୍ଥାପିତ ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିବା ବରିଷ୍ଠ ନେତା ଗଣେଶ ଶାହ କହିଛନ୍ତି।
ତେବେ ପାର୍ଟି ମୁଖପାତ୍ର ଏନ.ଶ୍ରେଷ୍ଠ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ବରିଷ୍ଠ ନେତାମାନେ ସହମତି ଆଧାରରେ ଉପୁଜିଥିବା ସମସ୍ୟାର ସମାଧାନ କରିବା ଲାଗି ରାଜି ହୋଇଥିବା କହିଛନ୍ତି। ରବିବାର ହେବାକୁ ଥିବା ୪୫ ସଦସୀୟ ସ୍ଥାୟୀ ସମିତି ବୈଠକ ପୂର୍ବରୁ ଓଲି ଏବଂ ପ୍ରଚଣ୍ଡ ଶୀର୍ଷ ଅନୁଷ୍ଠାନର ସମ୍ମିଳନୀ ଲାଗି ସହମତ ହୋଇଥିଲେ। ଏଣୁ ଏନସିପି କେନ୍ଦ୍ରୀୟ ସଚିବାଳୟ ବୈଠକ ଆହ୍ୱାନ କରାଯାଇଥିଲା।
ଓଲି ଓ ପ୍ରଚଣ୍ଡଙ୍କ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ଲାଗି ଆଲୋଚନା ନିମନ୍ତେ ଅଧିକ ସମୟ ଦିଆଯାଇଥିଲା। ତେବେ ସ୍ଥାୟୀ ସମିତି ବୈଠକରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସମିତି (ସିଡବ୍ଲୁସି) ବୈଠକରେ ତାରିଖ ଘୋଷଣା ହୋଇପାରେ ବୋଲି ଗଣେଶ ଶାହ କହିଛନ୍ତି। ଯେଉଁଥିରେ ଓଲିଙ୍କ ଭବିଷ୍ୟତ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଓଲିଙ୍କ ନିକଟରେ ପ୍ରଚଣ୍ଡ ଗୋଟିଏ ବ୍ୟକ୍ତି ଗୋଟିଏ ପଦ ସର୍ତ୍ତ ରଖିଛନ୍ତି। ସେ ହୁଏତ ଦେଶର ପ୍ରଧାନମନ୍ତ୍ରୀ ରହିପାରନ୍ତି ଅଥବା ଏନସିପିର ଅଧ୍ୟକ୍ଷ। ତେବେ ଓଲି କୌଣସି ପଦ ଛାଡିବେନି ବୋଲି ଜିଦ୍ରେ ଅଟଳ ଅଛନ୍ତି।