ଓଲିଙ୍କ ସାଥ ଦେଲା ଭାଗ୍ୟ ! ଟଳିଲା ନେପାଳ କମ୍ୟୁନିଷ୍ଟ ପାର୍ଟି ସ୍ଥାୟୀ କମିଟି ବୈଠକ

Published By : Prameya-News7 Bureau | July 04, 2020 IST

କାଠମାଣ୍ଡୁ ୪।୭:  କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟିର ଶନିବାର ପ୍ରସ୍ତାବିତ ସ୍ଥାୟୀ କମିଟି ବୈଠକ ଟଳିଯାଇଛି। ଫଳରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ କେ.ପି.ଶର୍ମା ଓଲିଙ୍କୁ ଆଉ କିଛି ସମୟ ମିଳିଯାଇଛି। ଏହି ବୈଠକ ସୋମବାର ଅନୁଷ୍ଠିତ ହେବ ବୋଲି ସୂଚନା ମିଳୁଛି। ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍‌ ପରାମର୍ଶଦାତା ସୂର୍ଯ୍ୟ ଥାପାଙ୍କ ଅନୁସାରେ ପ୍ରସ୍ତାବିତ ପ୍ରସଙ୍ଗରେ ସହମତି ଲାଗି ବରିଷ୍ଠ ନେତାଙ୍କୁ ଆଉ କିଛି ସମୟର ଆବଶ୍ୟକତା ରହିଛି। ଏଥିଲାଗି ବୈଠକକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି।

{"id":295712,"sizeSlug":"large"}

ପ୍ରଧାନମନ୍ତ୍ରୀ ଓଲିଙ୍କୁ ଏବେ ତାଙ୍କ ନିଜ ଦଳରେ ବିରୋଧ ହେଉଛି। ଅପରିଣାମଦର୍ଶୀ ରାଜନୈତିକ ବୟାନବାଜୀ ଲାଗି ଦଳର ନେତା ଓ ସାଂସଦମାନେ ତାଙ୍କର ଇସ୍ତଫା ଦାବି କରୁଛନ୍ତି। ଏଥିରେ ବିରୋଧୀଦଳ ମଧ୍ୟ ଶାସକ ଦଳ ସମର୍ଥନରେ ଆସିବା ଓଲିଙ୍କ ଲାଗି ରାଜନୈତିକ ସଂକଟର କାରଣ ହୋଇଛି। ତେବେ ଭାରତ ବିରୋଧୀ ବୟାନବାଜୀ ଲାଗି ସେ ଦଳୀୟ ଷଡଯନ୍ତ୍ରର ଶିକାର ହୋଇଥିବାର ଅଭିଯୋଗ କରୁଛନ୍ତି। ହେଲେ ପ୍ରମାଣ ମାଗିଲେ ପଛେଇ ଯାଉଛନ୍ତି। ଏଥିଲାଗି ଓଲିଙ୍କୁ ଦଳରେ ସମକକ୍ଷ ନେତା ପ୍ରଚଣ୍ଡ ମଧ୍ୟ କଡା ସମାଲୋଚନା କରିଥିଲେ।

{"id":295713,"width":579,"height":381,"sizeSlug":"large"}

ସେପଟେ ଓଲି କ୍ଷମତା ମୋହରେ ଅନ୍ଧ ହୋଇଯାଇଥିବା ଦେଶରେ ଚର୍ଚ୍ଚା ହେଉଛି। ଏପରିକି  ପ୍ରଧାନମନ୍ତ୍ରୀ ଆସନ ବଞ୍ଚାଇବା ଲାଗି ପ୍ରଚଣ୍ଡଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ଗିରଫ କରିବା ଅଥବା ଦଳ ବିଭାଜନ କରିବା ଯୋଜନାରେ ଥିବାର ମଧ୍ୟ ଚର୍ଚ୍ଚା ହେଉଛି। ଏଥିରେ ଓଲିଙ୍କୁ ଚୀନ୍‌ର ସମର୍ଥନ ଥିବାର ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଚୀନ୍‌ ଯୋଗୁ ହିଁ ଓଲି ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିବାର ଅନୁମାନ କରାଯାଉଛି। ସୀମା ସଲଗ୍ନ ଗାଁ ଗୁଡିକୁ ଚୀନ୍‌ ସେନା ଖାଲିକରିବାରେ ଲାଗିଛନ୍ତି। ହେଲେ ପ୍ରସଙ୍ଗରେ ଓଲି ନିରବ ରହିବା ଯୋଗୁ ଦେଶରେ ତାଙ୍କର ଇସ୍ତଫାଦାବି ଜୋରଧରିଛି।

{"id":295714,"width":581,"height":453,"sizeSlug":"large"}

ଓଲି ଦେଶରେ ଏକତରଫା କାମ କରୁଥିବାର ସାଂସଦମାନେ ଅଭିଯୋଗ କରିଛନ୍ତି। ଏପରିକି ଚୀନ୍‌ ସ୍ୱାର୍ଥ ରକ୍ଷା ଲାଗି ସେ ପ୍ରଚଣ୍ଡଙ୍କୁ ମଧ୍ୟ କାମ କରାଇ ଦେଉନଥିବା ସ୍ଥାୟୀ ସମିତି ସଦସ୍ୟ ଗଣେଶ ଶାହ କହିଛନ୍ତି। ଏଣୁ ବୈଠକ ହେଲେ ଏପରି ବ୍ୟବସ୍ଥା କରାଯିବ ଯେପରି ସରକାର ଓ ପାର୍ଟି  ଉଭୟ ଙ୍କ ଗୁରୁତ୍ୱ ରହିବ ଓ ନିୟମର ପାଳନ ହେବ ବୋଲି ଶାହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.