ମହଙ୍ଗା ପଡୁଛି ଚୀନ ପିରତି: ଦୋହଲିଲା ଓଲିଙ୍କ ଗାଦି, ଦହଲ କହିଲେ- ଭାରତ ନୁହେଁ ଆମେ ମାଗୁଛୁ ଇସ୍ତଫା

Published By : Prameya-News7 Bureau | June 30, 2020 IST

କାଠମାଣ୍ଡୁ ୩୦।୦୬: ନେପାଳର ସରକାର ଓ କ୍ଷମତାଧାରୀ କମ୍ୟୁନିଷ୍ଟ ପାର୍ଟି ଉପରେ ଜାରି ସଙ୍କଟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗାଦି ଦୋହଲିବାରେ ଲାଗିଛି। ପାର୍ଟିର ମଙ୍ଗଳବାର ଅନୁଷ୍ଠିତ ବୈଠକରେ ପୁଣି ଥରେ ବରିଷ୍ଠ ନେତା ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ନେତାଙ୍କ କହିବା କଥା ଓଲିଙ୍କ ସରକାର ନିଜ କାମରେ ବିଫଳ ହୋଇଛି। ଏଥିପାଇଁ ଇସ୍ତଫା ମଗାଯାଉଛି। ଓଲିଙ୍କ ଆରୋପକୁ ମଧ୍ୟ ବୈଠକରେ ଖଣ୍ଡନ କରାଯାଇଛି। ଓଲି କହିଥିଲେ ଯେ, ତାଙ୍କୁ ପଦରୁ ହଟାଇବା ପାଇଁ ଭାରତ ଷଡଯନ୍ତ୍ର ରଚୁଛି।

ଆମେ ମାଗୁଛୁ ଇସ୍ତଫା, ଭାରତ ନୁହେଁ

କମ୍ୟୁନିଷ୍ଟ ପାର୍ଟିର ସହ ସଭାପତି  ପୁଷ୍ପ କମଲ ଦହଲ ଓ ବରିଷ୍ଠ ନେତା ମାଧବ ନେପାଲ, ଝଲା ନାଥ ଓ ବାମଦେବ ଗୌତମ ପାର୍ଟିର ବୈଠକରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ଦହଲ ଓଲିଙ୍କ ବୟାନ ଉପରେ କଡା ଆପତ୍ତି ପ୍ରକାଶ କରି କହିଛନ୍ତି ଯେ, ସେମାନେ ତାଙ୍କ ଇସ୍ତଫା ଦାବି କରୁଛନ୍ତି, ଭାରତ ନୁହେଁ।

{"id":293994,"sizeSlug":"large"}

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତ ପ୍ରତି ଇସାରା କରି ଦାବି କରିଥିଲେ ଯେ, କାଠମାଣ୍ଡୁର ଏକ ହୋଟେଲ୍‌ରେ ତାଙ୍କୁ ପଦରୁ ହଟାଇବା ପାଇଁ ବୈଠକ କରାଯାଇଛି ଏବଂ ଏଥିରେ ଏକ ଦୂତାବାସ ମଧ୍ୟ ସକ୍ରିୟ ରହିଛି। ସେ ଦାବି କରିଥିଲେ ଯେ, ନୂତନ ନକ୍ସାକୁ ସଂସଦରେ ଗୃହୀତ କରାଇବା ପରେ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଉଛି।

ଅନ୍ୟପକ୍ଷେ ପ୍ରଚଣ୍ଡ ଖୁଲାସା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଲି ପଦ ପାଇଁ ଯେ କୌଣସି ସ୍ତରକୁ ମଧ୍ୟ ଯାଇ ପାରନ୍ତି। ଓଲି ପ୍ରଧାନମନ୍ତ୍ରୀ ଗାଦି ପାଇଁ ନେପାଳି ସେନାର ସାହାରା ନେଉଛନ୍ତି। ଆମେ ଶୁଣିଛୁ ଯେ, ପିଏମ ଓଲି କ୍ଷମତାରେ ରହିବା ପାଇଁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ମୋଡେଲ୍‌କୁ ଆପଣେଇବାକୁ ଚାହୁଁଛନ୍ତି। ମାତ୍ର ସେ ଏହି ଧରଣର ପ୍ରୟାସରେ ସଫଳ ହେବେ ନାହିଁ ବୋଲି ପ୍ରଚଣ୍ଡ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.