ନା ମିଳିଲା ଚିକିତ୍ସା, ନା ଆମ୍ବୁଲାନ୍ସ, ପୁଅର ଶବକୁ ନିଜ ପାଦ ତଳେ ଥୋଇ ଇ-ରିକ୍ସାରେ ନେବାକୁ ବିବଶ ମା

Published By : Prameya-News7 Bureau | April 20, 2021 IST

ବାରଣାସୀ ୨୦।୦୪: କରୋନାର ଦ୍ଵିତୀୟ ଲହରରେ ସାରା ଦେଶର ସ୍ଥିତି ସଙ୍ଗୀନ। ଏହି ମହାମାରୀରେ ଦେଖିବାକୁ ମିଳିଛି ଅନେକ କରୁଣ ଦୃଶ୍ୟ। କରୋନା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ତେବେ ଏହା ମଧ୍ୟରେ ଉତ୍ତର ପ୍ରଦେଶର କାଶୀରୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ପ୍ରଶାସନିକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରଣାସୀରେ ପୁଅର ମୃତ୍ୟୁ ପରେ ତାର ମା ଏକ ଇ-ରିକ୍ସାରେ ଶବ ଧରି ଯାଉଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ସେ ପୁଣି ମାର ପାଦ ତଳେ ହିଁ ପୁଅର ମୃତ ଶରୀର ରହିଛି।

ସୂଚନା ଅନୁଯାୟୀ, ଜୌନପୁର ବାସିନ୍ଦା ଏହି ମା ଏବଂ ପୁଅ ମୁମ୍ବାଇରେ କାମ କରୁଥିଲେ। କିଡନୀଜନିତ ସମସ୍ୟାର ଚିକିତ୍ସା ପାଇଁ ସେମାନେ ବାରଣାସୀ ଆସିଥିଲେ। ପ୍ରଥମେ ମା ପୁଅକୁ ଧରି ବିଏଚୟୁ ଯାଇଥିଲେ, ହେଲେ ସେଠାରେ ଆଡମିଟ୍ କରାଗଲା ନାହିଁ। ନିରାଶ ହୋଇ କକରମତ୍ତାର ଏକ ଘରୋଇ ହସ୍ପିଟାଲ ଗଲେ। ତଥାପି ସେଠାରେ ମଧ୍ୟ ନିରାଶ ହେବାକୁ ପଡିଥିଲା। ଏ ହସ୍ପିଟାଲରୁ ସେ ହସ୍ପିଟାଲ ଦୌଡିବା ପରେ ବି ଠିକ୍ ସମୟରେ ଚିକିତ୍ସା ନମିଳିବାରୁ ପୁଅର ମୃତ୍ୟୁରେ ମାର ପାଦ ତଳୁ ମାଟି ଖସି ଯାଇଛି।

ମିଳିଲାନି ଆମ୍ବୁଲାନ୍ସ

କେବଳ ଏତିକି ନୁହେଁ। କୌଣସି  ହସ୍ପିଟାଲ ତ ଆଡମିଟ୍ କଲେନି। ମୃତ୍ୟୁ ପରେ ବି ଆମ୍ବୁଲାନ୍ସଟିଏ ମଧ୍ୟ ମିଳିଲାନି।  ଚିକିତ୍ସା ଅଭାବରୁ ମାର ପାଦ ତଳେ ପୁଅ ପ୍ରାଣ ହରାଇବା ଏବଂ ମୃତ ପୁଅର ମୃତ ଶରୀର ନେବା ପାଇଁ ମା ଆମ୍ବୁଲାନ୍ସ ଖୋଜିବାର ଏମିତି ହୃଦୟ ବିଦାରକ ଘଟଣା ବାରଣାସୀ ଦେଖିବାକୁ ମିଳିଛି। ଯେବେ କିଛି ମିଳିଲାନି ମା ଇ-ରିକ୍ସାରେ ପୁଅର ମର ଶରୀରକୁ ନେଇ ଅନ୍ତିମ ସଂସ୍କାର ପାଇଁ ଘରକୁ ଚାଲିଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.