ତ୍ଵାଡ୍ଡା କୁତା ଟମି, ସାଡ୍ଡା କୁତା କୁତା ? ପଡୋଶୀ 'ଟମି'କୁ କେବଳ କୁକୁର ଡାକି ଦେଲେ, ବାସ୍‌ ଏତିକିରେ ପୁରା ପରିବାରକୁ ନିର୍ଧୁମ ପିଟିଲେ ମାଲିକ

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦।୦୫: ହରିୟାଣାର ଗୁରୁଗ୍ରାମରେ ଜଣେ ବ୍ୟକ୍ତି ନିଜ ପଡୋଶୀରେ ରହୁଥିବା ଗୋଟିଏ ପରିବାରର ଜଣେ କି ଦୁଇ ଜଣଙ୍କୁ ନୁହେଁ ଛଅ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ମାଡ ମାରିଛନ୍ତି। ବ୍ୟକ୍ତି ଜଣକ ଯେଉଁ ଯେଉଁ ଲୋକଙ୍କୁ ପିଟିଛନ୍ତି ସେମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ସାମିଲ। ବ୍ୟକ୍ତି ଜଣକ କାହିଁକି ଏମିତି ନିର୍ଦ୍ଦୟ ଭାବେ ପରିବାରର ପ୍ରତିଟି ସଦସ୍ୟଙ୍କୁ ପିଟିଲେ ? ଏହି ବିବାଦର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନା ଅନୁଯାୟୀ, ପଡୋଶୀରେ ରହୁଥିବା ଏହି ପୀଡିତ ପରିବାରର ଜଣେ ସଦସ୍ୟ ମାଡ ମାରିଥିବା ବ୍ୟକ୍ତିଙ୍କ ପାଳିତ କୁକୁରକୁ ତାର ନାମରେ ନଡାକି କୁକୁର ଡାକି ଦେଲେ। କୁକୁରର ନାମ ଟମି ଥିଲା। ଟମି ଡାକିବା ଜାଗାରେ ସେ କୁକୁର ଡାକି ଦେଇଥିଲେ। ବାସ୍ ଏତିକିରେ କଥା ଶେଷ, କୁକୁର ମାଲିକ କ୍ରୋଧିତ ହୋଇ ମାଡ ମାରିବା ଆରମ୍ଭ କରି ଦେଲେ।

ଏହି ଘଟଣା ଗୁରୁଗ୍ରାମର ଜ୍ୟୋତି ପାର୍କର। ପୀଡିତ ବ୍ୟକ୍ତିଙ୍କ ନା ସୁଧୀର। ସେ ପଡୋଶୀଙ୍କ କୁକୁରର ଆକ୍ରମଣାତ୍ମକ ଶୈଳୀକୁ ନେଇ ହଇରାଣରେ ଥିଲେ। ସୁଧୀର ଉକ୍ତ ବ୍ୟକ୍ତିଙ୍କୁ କୁକୁରକୁ ଚେନ୍‌ରେ ବାନ୍ଧି ରଖିବାକୁ ପରାମର୍ଶ ଦେଇଥିଲେ। ଚେନ୍‌ରେ ବାନ୍ଧି ରଖିବା କଥା ବ୍ୟକ୍ତିଙ୍କୁ ଖରାପ ଲାଗିନଥିଲା। କିନ୍ତୁ ସୁଧୀର ଟମିକୁ କୁକୁର କହି ଦେଲେ, ଏହି କଥା ବ୍ୟକ୍ତିଙ୍କୁ ହମଜ ହୋଇନଥିଲା। ସୁଧୀରଙ୍କ ମତରେ ସେ ଉକ୍ତ ବ୍ୟକ୍ତିଙ୍କୁ କୁକୁରକୁ ବାନ୍ଧି ରଖିବାକୁ କହିଥିଲେ, କାରଣ କୁକୁରଟି ପିଲାମାନଙ୍କୁ କାମୁଡିବାକୁ ଦୌଡି ଆସୁଥିଲା।

କୁକୁରକୁ ତା ନାମ ଟମି ଡାକିବା ଜାଗାରେ କୁକୁର କହିବା ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତତର୍କ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ଏତେ ଆଗକୁ ବଢି ଯାଇଥିଲା ଯେ, ଦୁଇ ପରିବାର ମଧ୍ୟରେ ମାରପିଟ୍ ଆରମ୍ଭ  ହୋଇ ଯାଇଥିଲା। କୁକୁରର ମାଲିକ ସୁଧୀରଙ୍କ ପରିବାର ଉପରେ ଲାଠି ଏବଂ ରୋଡ୍‌ରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସୁଧୀରଙ୍କ ପରିବାରର ଛଅ ଜଣ ଗୁରୁତର ଆହତ ହୋଇଥିଲେ। ସୁଧୀରଙ୍କ ଅଭିଯୋଗ କ୍ରମେ ଗୁରୁଗ୍ରାମ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.