ପଡୋଶୀ ଘରେ ଖୁସିରେ ଫୁଟିଲା ବାଣ, ଜଳି ପୋଡି ପାଉଁଶ ହୋଇଗଲା ଗରିବର ଝୁମ୍ପୁଡି

Published By : Prameya-News7 Bureau | March 04, 2021 IST

ଲକ୍ଷ୍ନୌ ୦୪/୦୩ : ଧନୀ ପଡୋଶୀଙ୍କ ଖୁସିର ଲହରୀରେ ଭାଙ୍ଗିଗଲା ଗରିବ ପରିବାରର ହସଖୁସି । ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାହାକି ମନକୁ ଆନ୍ଦୋଳିତ କଲାଭଳି ଘଟଣା । ଦାୟିତ୍ବହୀନତା ଯୋଗୁଁ ଗୋଟିଏ ଗରିବ ପରିବାରର ଘର ସମ୍ପୂର୍ଣ୍ଣ ଜଳିଯିବା ସହିତ ଘରର ଆସବାବପତ୍ର ଏବଂ ପ୍ରାୟ ୨୦ ହଜାର ଟଙ୍କା ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଆଖପାଖରେ ରହୁଥିବା ପଡୋଶୀ ବହୁ କଷ୍ଟରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ।

ସୂଚନା ଅନୁସାରେ, ଏହି ଘଟଣା ଅମରୋହା ଜିଲ୍ଲା ଚକଫେରୀ ଗାଁରେ ଘଟିଛି । ଜଣେ ପଡୋଶୀଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ହେଉଥିଲା । ଏହା ସହିତ ବିଭିନ୍ନ ଆତସବାଜୀ ମଧ୍ୟ ଫୁଟାଯାଉଥିଲା । ତେବେ ପାଖରେ ଚାଳ ଘର ଥିବାରୁ ପଡୋଶୀ ଭୁଦେବ ସିଂହ ଅନେକ ଥର ବାଣ ନଫୁଟାଇବା ପାଇଁ କହିଥିଲେ । କିନ୍ତୁ ସେମାନେ ଭୁଦେବ ସିଂହଙ୍କ କଥାକୁ ଆଦୌ ଭୃକ୍ଷେପ କରିନଥିଲେ ।

ପ୍ରବଳ ମାତ୍ରାରେ ବାଣ ଫୁଟାଉଥିବା ବେଳେ କିଛି ଅଂଶ ଆସି ଭୁବେଦ ସିଂହଙ୍କ ଚାଳ ଉପରେ ପଡିଥିଲା । ଏହାର କିଛି କ୍ଷଣ ମଧ୍ୟରେ ନିଆଁ ଭୟାନକ ରୂପ ଧାରଣ କରିଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବା ପାଇଁ ବହୁ ଚେଷ୍ଟା କରିଥିଲେ । ତେବେ ନିଆଁ ଆହତ ହେଲା ବେଳକୁ ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତଃ ଘରେ ଥିବା ଲୋକମାନଙ୍କର କୌଣସି କ୍ଷତି ହୋଇନାହିଁ ।

ଘଟଣା ପରେ ପୀଡିତ ପରିବାର କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳ​‌ରେ ପହଞ୍ଚି ପୀଡିତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.