ଦୀପାବଳୀ ପାଳିବା ପାଇଁ ଇଣ୍ଡିୟାନ ଆଇଡଲର ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ଦେଲେ ନେହା କକ୍କଡ…
28/10/2019 at 2:21 PM

ମୁମ୍ବାଇ୨୮|୧୦: ରିୟାଲିଟି ଶୋ ଇଣ୍ଡିୟାନ ଆଇଡଲର ଜଜ୍ ଗାୟିକା ନେହା କକ୍କଡ ଜଣେ ପ୍ରତିଯୋଗୀଙ୍କୁ ପରିବାର ସହ ଝାରଖଣ୍ଡ ଯାଇ ଦୀପାବଳି ପାଳିବା ପାଇଁ ୧ ଲକ୍ଷ ଟଙ୍କା ଦେଇଛନ୍ତି। ନେହା ତାଙ୍କୁ ବିମାନ (ଫ୍ଲାଇଟ୍)ରେ ଘରକୁ ଯିବା ପାଇଁ କହିଥିଲେ। ଅଡିଶନ ସମୟରେ ଦିବସ ନାମକ ଜଣେ ପ୍ରତିଯୋଗୀ କହିଥିଲେ ଯେ, ସେ ୬ ବର୍ଷ ହେବ ନିଜ ପରିବାରଠୁ ଦୂରାଇ ରହିଛନ୍ତି। ପରିବାରଠୁ ଦୂରରେ ରହିବା ପରେ କେବଳ ଦୀପାବଳୀ ନୁହେଁ ଅନ୍ୟ ପର୍ବ ପର୍ବାଣିର ମଜା ଆନନ୍ଦ ସେ ଘର ଲୋକଙ୍କ ସହ କେବେଠୁ ପାଳିନାହାନ୍ତି।

ପ୍ରତିଯୋଗୀ ଦିବସ କୁମାର ନାୟକ କହିଥିଲେ ଯେ, ଦାରିଦ୍ର୍ୟ କାରଣରୁ ଗତ ୬ ବର୍ଷ ହେବ ସେ କୌଣସି ପର୍ବ ପାଳିନାହାନ୍ତି। କ୍ୟାଣ୍ଟିନରେ ବାସନ ମାଜିବା ସମୟରେ ତାଙ୍କୁ ପର୍ବ ବିଷୟରେ ଜଣା ପଡେ। ସେହିଭଳି ପ୍ରତି ବର୍ଷ ବାଣର ଶବ୍ଦ ଶୁଣି ସେ ଦୀପାବଳି ପର୍ବ ବିଷୟରେ ଜାଣିପାରନ୍ତି। ତାଙ୍କ ବାପା ବୁଲି ବୁଲି ଜିନିଷ ବିକ୍ରି କରୁଥିଲେ ଓ ମାଆ ସିଲେଇ କରି ପେଟର ଭୋକ ମେଣ୍ଟଉଥିଲେ। ଘରେ କୌଣସି ପର୍ବ ପାଳିବା ପାଇଁ ଏତେ ଟଙ୍କା ନଥାଏ।

ଏହା ଶୁଣିବା ପରେ ନେହା କକ୍କଡଙ୍କ ଆଖିରୁ ଲୁହ ଝରିଥିଲା। ଦିବସଙ୍କ କଥାରେ ଭାବୁକ ହୋଇ ନେହା ତାଙ୍କୁ ପରିବାର ସହ ଦୀପାବଳି ପାଳିବା ପାଇଁ ୧ ଲକ୍ଷ ଟଙ୍କା ଉପହାରରେ ଦେଇଥିଲେ।