ସରକାରଙ୍କ ନୂଆ ଗାଇଡଲାଇନ୍‌, କରୋନାରୁ ସୁସ୍ଥ ହେବାର ୩ ମାସ ପରେ ଲାଗିବ ଟିକା

Published By : Prameya-News7 Bureau | May 19, 2021 IST

ନୂଆଦିଲ୍ଲୀ ୧୯/୫: NEGVAC ପକ୍ଷରୁ କରୋନା ଭ୍ୟାକସିନ୍‌ ନେଇ ଯେଉଁ ପରାମର୍ଶ ଦିଆଯାଇଥିଲା ତାହାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି । କରୋନାରୁ ସୁସ୍ଥ ହେବାର ୩ ମାସ ପରେ ଭ୍ୟାକସିନ୍‌ ଡୋଜ ଦିଆଯିବାକୁ NEGVAC ସୁପାରିଶ କରିଥିଲା।  ଏହାକୁ ଗ୍ରୀନ ସିଗନାଲ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭ୍ୟାକସିନ୍‌ ଆଡମିନିଷ୍ଟେ୍ରସନ୍‌ ଫର କୋଭିଡ-୧୯ (NEGVAC) ନୂଆ ସୁପାରିଶ ଅନୁସାରେ ଯଦି ଜଣେ ବ୍ୟକ୍ତି ପ୍ରଥମ ଡୋଜ୍‌ ନେବା ପରେ ସଂକ୍ରମିତ ଚିହ୍ନଟ  ହୁଅନ୍ତି ତେବେ ସୁସ୍ଥ ହେବାର ୩ ମାସ ପରେ ତାଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯିବ। ଏହା ସହ ସ୍ତନ୍ୟପାନ କରୁଥିବା ସମସ୍ତ ମହିଳାଙ୍କୁ କରୋନା ଟିକା ଦେବାକୁ କୁହାଯାଇଥିଲା। କରୋନା ଭ୍ୟାକସିନ୍‌ ନେବାକୁ ଯାଉଥିବା ଲୋକଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଇବାକୁ ମଧ୍ୟ ମନା କରାଯାଇଥିଲା। ତେବେ ଏହି ସୁପାରିଶ ବୈଶ୍ବିକ ସମୀକ୍ଷା ଏବଂ ଅନୁସନ୍ଧାନ ଆଧାରରେ କରାଯାଇଥିବା ଜଣାପଡ଼ିଛି।

ଅପେକ୍ଷା କରିବାକୁ ପଡ଼ିବ
- ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ୍‌ ନେବା ପରେ କରୋନା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ସୁସ୍ଥ ହେବାର ୩ ମାସ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ।

- କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଯଦି ଆଣ୍ଡିବଡି କିମ୍ବା ପ୍ଲାଜମା ଦିଆଯାଇଥିବ ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ୩ ମାସ ପରେ ଟିକା ଦିଆଯିବ।

- ଯେଉଁମାନଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା, ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ।

- ଗମ୍ଭୀର ରୋଗ ଥିବା ଲୋକେ ୪ରୁ ୮ ସପ୍ତାହ ପରେ ଟିକା ନେବେ

- ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବା ଉପରେ ବିଚାର କରାଯାଉଛି। ଏନେଇ NTAGI ପକ୍ଷରୁ ଅଧିକ ସୂଚନା ପରେ ମିଳିବ।

NEGVACର ସୁପାରିଶକୁ ପାଳନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସୂଚନା ଦିଆଯାଇଛି। ଏନେଇ ଲୋକମାନଙ୍କୁ ସ୍ପଷ୍ଟ ସୂଚନା ଦେବା ପାଇଁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଲୋକଙ୍କୁ ସଚେତନ କରାଇବା ପାଇଁ ସମସ୍ତ ମାଧ୍ୟମର ଉପଯୋଗ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.