ଗପରେ ମସ୍‌ଗୁଲ୍‌ ନର୍ସ, ଥରକେ ଫୋଡିଦେଲେ ୨ଥର କରୋନା ଟିକା

Published By : Prameya-News7 Bureau | April 03, 2021 IST

କାନପୁର ୩।୪ : ଦେଶରେ ଚିନ୍ତା ବଢାଇଲାଣି କରୋନାର ୨ୟ ଲହରୀ । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣରୁ ମୁକ୍ତି ଲାଗି ଟିକାକରଣ ଜାରି ରହିଛି । ଏଭଳି କଠିନ ସମୟରେ କାନପୁରରେ ଆସିଛି ଏକ ବଡ଼ଧରଣର ଅବହେଳା । ଗୋଟିଏ ବଦଳରେ ଏକଥରକେ ୨ଟି କରୋନା ଟିକା ଦିଆଯାଇଛି । ତାହା ପୁଣି ଫୋନ୍‌ରେ କଥା ବାଉଳାରେ ।  

ଖବର ଅନୁଯାୟୀ, ଉତ୍ତରପ୍ରଦେଶର କାନପୁର ଗ୍ରାମାଞ୍ଚଳର ମାଡୋଲି ସିଏଚ୍ସିରେ କରୋନା ଟିକା ଜାରି ରହିଛି । ସେଠାରେ  କମଲେଶ ଦେବୀ ନାମକ ଜଣେ ମହିଳା କରୋନା ଟିକା ନେବା ପାଇଁ ସେଣ୍ଟରରେ ପହଞ୍ଚିଥିଲେ । ଏହି ସମୟରେ ଟିକା ଦେଉଥିବା ନର୍ସ ଜଣକ ଫୋନ୍‌ରେ ବହୁତ ବ୍ୟସ୍ତ ଥିଲେ।  ଫୋନରେ କଥା ହେଉଥିବା ଏଏନଏମ କମଲେଶ ଦେବୀଙ୍କୁ ଗୋଟିଏ ବଦଳରେ ଦୁଇଥର କରୋନା ଟିକା ଲଗାଇଥିଲେ। ମହିଳା ଜଣକ ଏଏନଏମଙ୍କୁ ଏହି କଥାକୁ କହିବାକୁ ସେ ଭୁଲକୁ ସ୍ବିକାର କରିନଥିଲେ। କିନ୍ତୁ ମହିଳାଙ୍କ ପରିବାର ସଦସ୍ୟ ଏହା ଜାଣିବା ପରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା ।

କମଲେଶ ଦେବୀ କହିଛନ୍ତି କି, ‘ଏଏନଏମ୍ ନିଜ ମୋବାଇଲ ଫୋନରେ ବ୍ୟସ୍ତ ଥିଲେ ।  ଫୋନ୍‌ରେ କଥା ହେଉଥିବା ବେଳେ ଗୋଟିଏ ବଦଳରେ ଦୁଇ ଥର କରୋନା ଟିକା ଲଗାଇଥିଲେ। ଏହାପରେ ମୁଁ ତାଙ୍କୁ ପଚାରିଲି, ଦୁଇ ଥର କରୋନା ଟିକା କାହିଁକି ଦିଆଯାଏ। ସେ କହିଲେ ନାହିଁ ଥରେ ଦିଆଯାଏ। ପୁଣି ମୁଁ ତାଙ୍କୁ ପଚାରିଲି ମୋତେ କାହିଁକି ଦୁଇ ଥର ଟିକା ଦେଲ । ଏତିକି କହିବା ପରେ ଏଏନଏମ୍ ରାଗରେ ମୋତେ କହିଲେ, ତୁମେ ଉଠିକି କାହିଁକି ଗଲନି। ମୁଁ କହିଲି, ଆପଣ ମୋତେ ଯିବାକୁ କହିନଥିଲେ, ତେଣୁ ମୁଁ ଯାଇନଥିଲି। ମୋତେ ଜଣାନାହିଁ ଗୋଟିଏ କି ଦୁଇଟି ଟିକା ଲଗାଯାଏ।’

ତେବେ ଏହି ୨ ଥର ଟିକା ଦେବା କଥା ପ୍ରଘଟ ହେବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି  କାଯ୍ୟାନୁଷ୍ଠାନର ପ୍ରତିଶୃତି ଦେବା ପରେ ମାମଲା ଶାନ୍ତ ପଡିଥିଲା । ସେପଟେ ଏହି ମାମଲାକୁ ଗମ୍ଭୀରତା ସେହ ନେଇ ଯାଞ୍ଚ କରିବାକୁ ଆଦେଶ ଦିଆଯାଇଛି ବୋଲି ଉପରିସ୍ଥ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.