ମେ' ୨୧ରେ ହେବ ନିଟ୍ ପିଜି ପରୀକ୍ଷା : ଘୁଞ୍ଚାଇବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | May 13, 2022 IST

ନୂଆଦିଲ୍ଲୀ, ୧୩।୦୫ : ଘୁଞ୍ଚିବନି ନିଟ୍ ପରୀକ୍ଷା । ମେ ୨୧ରେ ହେବାକୁ ଥିବା ନିଟ୍ ପିଜି ୨୦୨୨ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି । ଏବେ ପରୀକ୍ଷା ସ୍ଥଗିତ ରଖିବା କେବଳ ଅନିଶ୍ଚିତତା ଓ ଅରାଜକତା ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି ।

କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଆଡମିଶନ ବିଳମ୍ବ ହେଲେ ରୋଗୀଙ୍କ ଚିକିତ୍ସା ଓ ହସ୍ପିଟାଲର କାମ ପ୍ରଭାବିତ ହେବ । ପରୀକ୍ଷା ସ୍ଥଗିତ କରିବା ନେଇ ଅନୁରୋଧ ଉପରେ ବିଚାର କରାଯାଇଥିଲା । କିନ୍ତୁ ପରୀକ୍ଷା ସ୍ଥଗିତ ରଖି ରୋଗୀଙ୍କ ଚିକିତ୍ସା ପ୍ରଭାବିତ କରିବାକୁ ଦିଆଯାଇ ପାରିବ ନାହିଁ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଡାକ୍ତରଙ୍କ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ପ୍ରଚେଷ୍ଟା କରୁଛନ୍ତି । ଅନେକ ଡାକ୍ତର ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ପ୍ରାୟ ୨ ଲକ୍ଷ ୬ ହଜାରରୁ ଅଧିକ ଡାକ୍ତର ରେଜିଷ୍ଟ୍ରେସନ୍ କରିଛନ୍ତି । ଯାହା ପୂର୍ବବର୍ଷ ଅପେକ୍ଷା ଢେର ଅଧିକ । ପରୀକ୍ଷାରେ ବିଳମ୍ବ ହେଲେ ସୁପର ସ୍ପେଶିଆଲିଟି ଆଡମିଶନ ମଧ୍ୟ ପ୍ରଭାବିତ ହୋଇପାରେ ।

ପୂର୍ବରୁ କରୋନା ଭାଇରସ ପାଇଁ ଚିନ୍ତା ଥିଲା । ପରୀକ୍ଷା ଉପରେ କରୋନାର ଅଧିକ ପ୍ରଭାବ ପଡିଥିଲା । ଫଳରେ ରୋଗୀସେବା ମଧ୍ୟ ପ୍ରଭାବିତ ହୋଇଥିଲା ବୋଲି ଶୁଣାଣି ବେଲେ କୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.