ଘୁଞ୍ଚିବ ନାହିଁ NEET ଓ JEE: ନିର୍ଦ୍ଧାରିତ ତାରିଖରେ ହେବ ପରୀକ୍ଷା, ସ୍ପଷ୍ଟ କଲେ ସରକାର, ଖୁବ୍ ଶୀଘ୍ର ଆସିବ ଆଡମିଟ୍ କାର୍ଡ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: କେନ୍ଦ୍ର ଶିକ୍ଷା ସଚିବ ଅମିତ୍ ଖରେ ସମସ୍ତ କଳ୍ପନାଜଳ୍ପନା ଉପରେ ବିରାମ ଲଗାଇ ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଏହି ସମ୍ବନ୍ଧରେ ସୁପ୍ରିମକୋର୍ଟ ବହୁତ ସ୍ପଷ୍ଟ ଆଦେଶ ଦେଇଛନ୍ତି। ଶୀଘ୍ର ପରୀକ୍ଷାର୍ଥୀଙ୍କ ଲାଗି ପ୍ରବେଶିକ ପାତ୍ର ବା ଆଡମିଟ୍ କାର୍ଡ ଜାରି ହେବ।

ସେ କହିଛନ୍ତି ଏବେ ପରୀକ୍ଷା ନିର୍ଦ୍ଧାରିତ ତାରିଖରେ ହିଁ ହେବ। ଏହା ପୂର୍ବରୁ ଚଳିତ ସପ୍ତାହରେ ସୁପ୍ରିମକୋର୍ଟ ଏହି ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ଦାଖଲ ଯାଚିକାକୁ ଖାରଜ କରିଥିଲେ। ଅଗଷ୍ଟ ୧୭ରେ କୋର୍ଟ କହିଥିଲେ ପରୀକ୍ଷାକୁ ଘୁଞ୍ଚାଇବା ପଛରେ କୌଣସି ତର୍କ ନାହିଁ। କୋର୍ଟ ଏହା ମଧ୍ୟ କହିଥିଲେ ଯେ, କରୋନା ଆଳରେ ସବୁ କିଛି ବନ୍ଦ କରାଯାଇ ପାରିବ ନାହିଁ। ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତକୁ ନେଇ କୌଣସି ବାଧା ଦିଆଯାଇ ପାରିବ ନାହିଁ।

ନିଟ୍ ପାଇଁ ଶୀଘ୍ର ଜାରି ହେବ ଆଡମିଟ୍ କାର୍ଡ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଅର୍ଥାତ ଏନଟିଏ ନିକଟରେ ଏକ ନୋଟିସ୍ ଜାରି କରି ଶୀଘ୍ର ନିଟ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ କାରି କରାଯିବ ବୋଲି ପରୀକ୍ଷାର୍ଥୀଙ୍କୁ ସୂଚନା ଦେଇଥିଲା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ଵାରା ଆଡମିଟ୍‌ କାର୍ଡକୁ ମଧ୍ୟ ଅନୁମୋଦନ ଦିଆ ସରିଛି। ପାଖାପାଖି ୬.୫ ଲକ୍ଷ ପରୀକ୍ଷାର୍ଥୀ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବେ। ସାଧାରଣତଃ ପରୀକ୍ଷାର ୧୫ ଦିନ ପୂର୍ବରୁ ପ୍ରବେଶିକା ପତ୍ର ଜାରି କରାଯାଏ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଦ୍ଵାରା ପରୀକ୍ଷା  ସ୍ଥଗିତ ରଖିବା ସମ୍ବନ୍ଧିତ ଆବେଦନ ଖାରଜ ହେବା ପରେ ତାମିଲନାଡୁର ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ।

ସୂଚନାଯୋଗ୍ୟ, କରୋନା ଭାଇରସ୍‌ କାରଣରୁ ନିଟ୍ ଓ ଜେଇଇ ପରୀକ୍ଷା ଦୁଇ ଥର ସ୍ଥଗିତ ହୋଇ ସାରିଛି। ପୂର୍ବରୁ ଏହି ପରୀକ୍ଷା ମେ ମାସରେ ହେବାର ଥିଲା, ଯାହାକୁ ପରେ ଜୁଲାଇରେ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ସଂକ୍ରମଣର ପ୍ରକୋପକୁ ଦୃଷ୍ଟିରେ ରଖି ନିଟ୍ ଓ ଜେଇଇ ମେନ୍‌ ପରୀକ୍ଷା ସେପ୍ଟେମ୍ବରରେ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଜେଇଇ ମେନ୍ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ଏବଂ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.