ପୁଲଓ୍ଵାମା ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ଦେବାକୁ ଚାହୁଁଛି NEET, ଆଇଇଡି ତିଆରି ପାଇଁ ଅନଲାଇନ୍‌ରେ କିଣିଥିଲା ସାମାନ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯: ପୁଲଓ୍ଵାମା ଆତଙ୍କୀ ଆକ୍ରମଣର ଜଣେ ଅଭିଯୁକ୍ତ ନିଟ୍ ପରୀକ୍ଷା ଦେବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଶ୍ରୀନଗର ବାସିନ୍ଦା ବେଜ ଉଲ ଇସଲାମ ପୁଲଓ୍ଵାମା ଆକ୍ରମଣ ପାଇଁ ବମ ତିଆରି କରିବା ଲାଗି ସାମାନ କିଣିଥିଲା। ପରୀକ୍ଷା ଦେବା ପାଇଁ ଅଭିଯୁକ୍ତର ଜାମିନ ଆବେଦନକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ବିରୋଧ କରିଛି। ଜାମିନ ଆବେଦନ ଉପରେ ସେପ୍ଟେମ୍ବର ୩ରେ ଶୁଣାଣି ହେବାକୁ ଯାଉଛି।

ଏନଆଇଏର ଓକିଲ ବିପିନ କାଲରା କହିଛନ୍ତି ଅଭିଯୁକ୍ତ ବେଜ ଉଲ ଇସଲାମ କୋର୍ଟରେ ଜାମିନ ଆବେଦନ ଦାଖଲ କରିଛି। ସେ ନିଟ୍ ପରୀକ୍ଷା ଦେବାକୁ ଚାହୁଁଛି। ଏହାର ଶୁଣାଣି ପାଇଁ ସେପ୍ଟେମ୍ବର ୩ ତାରିଖକୁ ସୁଚୀବଦ୍ଧ କରାଯାଇଛି। ଏନଆଇଏ ଏହି ଆବେଦନର  ବିରୋଧ କରିଛି। ପୁଲଓ୍ଵାମା ମାମଲା ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫ରେ ହେବ।

ବେଜ ଉଲ ଇସଲାମଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା। ସେ ଆଇଇଡି ତିଆରି କରିବା ପାଇଁ ଆମାଜନରୁ କେମିକାଲ୍ସ ଓ ଅନ୍ୟ ସାମଗ୍ରୀ କିଣିଥିଲା। ୧୯ ବର୍ଷୀୟ  ବେଜ ଜେରା ସମୟରେ ସ୍ଵୀକାର କରିଥିଲା ଯେ ସେ ଜୈସ ଇ ମହମ୍ମଦର ଆତଙ୍କବାଦୀଙ୍କ କହିବା କ୍ରମେ ଆଇଇଡି ତିଆରି ପାଇଁ କେମିକାଲ୍ସ ଓ ବ୍ୟାଟେରୀ କିଣିଥିଲା। ଅନଲାଇନ୍‌ରେ ଏହି ସାମଗ୍ରୀ କିଣିବା ପରେ ଏହାକୁ ଆତଙ୍କବାଦୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିଲା।

୨୦୧୯ ଫେବୃଆରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲଓ୍ଵାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଏନଆଇଏ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏନଆଇଏ ୧୩,୫୦୦ ପୃଷ୍ଠାର ଚାର୍ଜସିଟ୍‌ରେ ଜୈସ ଇ ମହମ୍ମଦର ପ୍ରମୁଖ ମସୁଦ ଅଝହର ଓ ଅନ୍ୟ ଆତଙ୍କବାଦୀ ଅମ୍ମାର ଅଲଭି ଓ ଅବଦୁଲ ରଉଫ ସମେତ ୧୯ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.