ଆସନ୍ତାକାଲି ନିଟ୍ ପରୀକ୍ଷା

Published By : Prameya-News7 Bureau | May 05, 2018 IST

ଆସନ୍ତାକାଲି ନିଟ୍ ପରୀକ୍ଷା । ସାରା ଦେଶରେ ଅନୁଷ୍ଠିତ ହେବ ନାସନାଲ୍ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ । ୬୦ ହଜାର ମେଡିକାଲ୍ ସିଟ୍ ପାଇଁ ୧୩ ଲକ୍ଷ ୩୬ ହଜାର ପିଲା ପରୀକ୍ଷା ଦେବେ । ଗୋଟିଏ ସଟିଂରେ ହେବାକୁ ଯାଉଥିବା ଏହି ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଦିନ ଗୋଟାଏ ଯାଏଁ ଚାଲିବ । ଦୁଇଟି ସ୍ଲଟରେ ପରୀକ୍ଷାର୍ଥୀମାନେ ହଲରେ ପ୍ରବେଶ କରିବେ । ସକାଳ ସାଢେ ୭ଟାରୁ ସାଢେ ୮ଟା ଏବଂ ସାଢେ ୮ଟାରୁ ସାଢେ ୯ଟା ଭିତରେ ପିଲାମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ପୂର୍ବ ବର୍ଷ ଭଳି ପିଲାମାନଙ୍କ ପାଇଁ ଡ୍ରେସ୍ କୋଡ୍ ବଳବତ୍ତର ରହିଛି । ପିଲାଏ କେବଳ ହାଫ୍ ସାର୍ଟ ପିନ୍ଧିବେ । ଫୁଲ୍ ସୁ କିମ୍ବା ହାଫ୍ ସୁନା ମନା ହୋଇଥିବା ବେଳେ ସ୍ଲିପର୍ କିମ୍ବା ସାଣ୍ଡାଲ୍ ପିନ୍ଧିବେ । ଝିଅମାନେ ହାଇ ହିଲ୍ ପିନ୍ଧିବା ମନା କରାଯାଇଛି । ଛାତ୍ରଛାତ୍ରୀ କେବଳ ଆଡମିଟ୍ କାର୍ଡ ଏବଂ ନିଜର ଦୁଇଟି ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ନେବେ । ହଲ୍ ମଧ୍ୟରେ ସିବିଆଏସଇ ତରଫରୁ ସେମାନଙ୍କୁ ବଲ୍ ପଏଣ୍ଟ୍ ପେନ୍ ଯୋଗାଇ ଦିଆଯିବ । ସାଢେ ୯ଟାରେ ପିଲାମାନେ ହଲରେ ପ୍ରବେଶ କରିବା ପରେ ସେମାନଙ୍କୁ ପ୍ରଶ୍ନପତ୍ର ବା ବୁକ୍ ଲେଟ୍ ଦିଆଯିବ । ୧୮୦ ମାର୍କର ଏହି ପରୀକ୍ଷାରେ ୧୮୦ଟି ଅବଜେକଟିଭ୍ ଟାଇପ୍ ପ୍ରଶ୍ନ ପଡ଼ିବ । ଯାହାର ଉତ୍ତର ତିନି ଘଣ୍ଟା ମଧ୍ୟରେ ପିଲାଙ୍କୁ ଦେବାକୁ ହେବ । ଫିଜିକ୍ସ, କେମିଷ୍ଟ୍ରି ଏବଂ ବାୟୋଲଜି ଉପରେ ସବୁ ପ୍ରଶ୍ନ ପଡ଼ିବ । ପରୀକ୍ଷା ଶେଷ ହେବାକୁ ଥିବା ଅଧ ଘଣ୍ଟାଏ ଅର୍ଥାତ୍ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ କୌଣସି ଛାତ୍ରଛାତ୍ରୀ ସେମାନଙ୍କ ସିଟ୍ ଛାଡ଼ିପାରିବେ ନାହିଁ । ଏପରିକି ବାଥ୍ ରୁମ୍ ମଧ୍ୟ ଯାଇପାରିବେ ନାହିଁ । ପରୀକ୍ଷା ଦେବାକୁ କେନ୍ଦ୍ର ମଧ୍ୟରେ ପ୍ରବେଶ କରିଥିବା କୌଣସି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନସରିବା ପୂର୍ବରୁ ବାହାରକୁ ଛଡ଼ାଯିବ ନାହିଁ । ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ OMR ସିଟକୁ ଇନଭିଜିଲେଟରଙ୍କୁ ଦେବେ । ନିଜ ସହିତ କେବଳ ସେମାନଙ୍କୁ ମିଳିଥିବା ଟେଷ୍ଟ ବୁକଲେଟ୍ ବା ପ୍ରଶ୍ନପତ୍ର ନେଇପାରିବେ । ସିବିଏସଇ ପରିଚାଳିତ ନିଟ୍ ପରୀକ୍ଷାର ରେଜଲ୍ଟ ଆସନ୍ତା ଜୁନ୍ ୫ ତାରିଖରେ ପ୍ରକାଶ ପାଇବ । ଆଉ ରାଙ୍କ ଅନୁଯାୟୀ ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ବା ଘରୋଇ ମେଡିକାଲ କଲେଜରେ ଅଣ୍ଡର୍ ଗ୍ରାଜୁଏଟ୍ ପାଠ୍ୟକ୍ରମ ପଢ଼ିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.