ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ମନୋନୀତ ହେଲା ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା
19/12/2020 at 11:14 PM

ଭୁବନେଶ୍ଵର ୧୯।୧୨: ଓଡିଶା ପାଇଁ ଏକ ଖୁସି ଓ ଗୌରବର ଖବର। ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ସୂଚନା ଦେଇଛନ୍ତି।

ଓଡିଶା ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡିଆ ଜାତି ନିଜର ଅସ୍ତିତ୍ଵ ବଜାୟ ରଖିଛି।

ଯଦି ପ୍ରକୃତି ସହ ଆମର ସଂପର୍କ ବିଗିଡିଯାଏ ତେବେ ପ୍ରଳୟ ଆସିବା ସ୍ଵାଭାବିକ। ବାଇଶି ପାହାଚେ ଖେଳିବ ମୀନ ଏହା ମାଳିକାର କଳ୍ପନା ନୁହେଁ ବରଂ ଆମ ପାଇଁ ଏକ ସତର୍କ ବାଣୀ।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ସହିତ ପରିବେଶର ବିପର୍ଯ୍ୟୟ ଆମକୁ ଅଧିକ ବିପଦଗ୍ରସ୍ତ କରୁଛି। ଜଳବାୟୁ ପରିବର୍ତ୍ତନ କେବଳ ଏକ ଭବିଷ୍ୟବାଣୀ ନୁହେଁ ଏହା ଆଜିର ଏକ ବଡ ସଙ୍କଟ।

ଏହି ପୃଷ୍ଠ ଭୂମିକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା କାଲିର ଅତୀତ।

ଏହି ସିନେମାରେ ଓଡିଆ ମାଳିକା ପରମ୍ପରା ସହିତ ଆଜିର ସାମାଜିକ ଜୀବନକୁ ଯୋଡି ଏକ ଚତ୍ମକାର କାହାଣୀ ଲେଖିଛନ୍ତି ନୀଳମାଧବ।

ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନେକ ସିନେମା କରିଥିବା ନୀଳମାଧବ ପ୍ରଥମ ଥର ଓଡିଆରେ ସଂପୂର୍ଣ୍ଣ ଭିନ୍ନ ସ୍ଵାଦ ଓ ଶୈଳୀର ଏହି ସିନେମା ତିଆରି କରିଛନ୍ତି। ସମୁଦ୍ର ଗର୍ଭରେ କ୍ରମେ କ୍ରମେ ହଜି ଯାଉଥିବା ସାତଭାୟା ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ ହୋଇଛି।
