ଦେଶରେ କରୋନାକୁ ପୁରିଲା ୬ ମାସ : ଗୋଟିଏ ଦିନରେ ପାଖାପାଖି ୫୨ ହଜାର ନୂଆ ମାମଲା, ୭୭୫ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦/୦୭ : ଦେଶରେ କରୋନା ଭାଇରସକୁ ୬ ମାସ ହୋଇସାରିଛି | ୬ ମାସ ପରେ ଦେଶରେ କରୋନା ମାମଲାରେ ରେକର୍ଡ ସଂଖ୍ୟକ ବୃଦ୍ଧି ହୋଇଛି | ଗୋଟିଏ ଦିନରେ ୫୨ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି | ଏହା ପୂର୍ବରୁ ଜୁଲାଇ ୨୭ ତାରିଖରେ ସର୍ବାଧିକ ୪୯ ହଜାର ୯୩୧ ନୂଆ ମାମଲା ସାମ୍ନାକୁ ଆସିଥିଲା | ଗତ ୨୪ ଘଣ୍ଟାରେ ୭୭୫ ଜଣଙ୍କ ମୃତ୍ୟୁ ହୋଇଛି | ମୃତ୍ୟୁ ସଂଖ୍ୟା ବ୍ରାଜିଲ, ଆମେରିକା, ମେକ୍ସିକୋ ପରେ ଭାରତରେ ସବୁଠାରୁ ଅଧିକ ରହିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁଯାୟୀ, ଦେଶରେ ସଂକ୍ରାମିତଙ୍କ ସଂଖ୍ୟା ପାଖାପାଖି ୧୬ ଲକ୍ଷ ହୋଇଛି | ପାଖାପାଖି ୩୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି | 

ଦେଶରେ ଏବେ ସୁଦ୍ଧା ୧୫ ଲକ୍ଷ ୮୩ ହଜାର ୭୯୨ ଜଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ୩୪ ହଜାର ୯୬୮ ଜଣ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି | ଅପରପକ୍ଷରେ ୧୦ ଲକ୍ଷ ୨୦ ହଜାର ୫୮୨ ଜଣ ସୁସ୍ଥ ହୋଇଛନ୍ତି | ୫ ଲକ୍ଷ ୨୮ ହଜାର ଲୋକଙ୍କର ଚିକିତ୍ସା ଜାରି ରହିଛି | ଅର୍ଥାତ ଦେଶରେ ବର୍ତ୍ତମାନ ୩୩.୩୫ ପ୍ରତିଶତ ଆକ୍ଟିଭ ମାମଲା ରହିଛି |

କରୋନା ସଂକ୍ରମିତ ମାମଲାରେ ଦୁନିଆରେ ଭାରତ ତୃତୀୟ ସ୍ଥାନରେ ରହିଛି | ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ | ଯଦି ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମଣ ମାମଲା ଓ ମୃତ୍ୟୁ ମାମଲାରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ଅଛି | ଆମେରିକାରେ ଏବେ ସୁଦ୍ଧା ୪୫ ଲକ୍ଷ ୬୮ ହଜାର ୩୭ ଜଣ ସଂକ୍ରମିତ ହୋଇଛନ୍ତି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ପାଖାପାଖି ୫ ଲକ୍ଷ ଆକ୍ଟିଭ ମାମଲା ରହିଛି | ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର | ମହାରାଷ୍ଟ୍ରରେ ୧ ଲକ୍ଷ ୫୦ ହଜାର ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି | ଏହାପରେ ଦ୍ୱିତୀୟ ସ୍ଥାନରେ ଅଛି ତାମିଲନାଡୁ, ତୃତୀୟରେ ଦିଲ୍ଲୀ, ଚତୁର୍ଥରେ ଗୁଜରାଟ, ପଞ୍ଚମରେ ପଶ୍ଚିମବଙ୍ଗ | ଏହି ୫ଟି ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.