କରୋନା ସ୍ଥିତି ଭୟଙ୍କର : ୨୪ ଘଣ୍ଟାରେ ପାଖାପାଖି ୧୦ ହଜାର ନୂଆ ମାମଲା, ୨୭୩ ମୃତ୍ୟୁ

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୦୫/୦୬ : ଦେଶରେ ଲକଡାଉନ କୋହଳ ହେବାପରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି | ପ୍ରତିଦିନ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗୁଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୯ ହଜାର ୮୫୧ ନୂଆ ମାମଲା ସାମ୍ନାକୁ ଆସିଛି | ୨୭୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି | ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୭୯ରେ ପହଞ୍ଚିଛି | ଗୁରୁବାର ଦିନ ୯ ହଜାର ୩୦୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୧ ଲକ୍ଷ ୧୦ ହଜାର ୯୬୦ ଆକ୍ଟିଭ ମାମଲା ରହିଛି | ମହାମାରୀରେ ଏବେ ସୁଦ୍ଧା ୬ ହଜାର ୩୪୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ଲକ୍ଷ ୯ ହଜାର ୪୬୨ ଜଣ ସୁସ୍ଥ ହୋଇଛନ୍ତି | ମହାମାରୀ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୭୫ ହଜାରରେ ପହଞ୍ଚିଛି |

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୩୪୮ ରେ ପହଞ୍ଚିଥିବାବେଳେ ସବୁଠାରୁ ଅଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି | ମହାରାଷ୍ଟ୍ରରେ ୨ ହଜାର ୭୧୦ ଜଣ ପ୍ରାଣ ହରାଇ ସାରିଛନ୍ତି | ଗୁଜରାଟରେ ୧୧୫୫, ମଧ୍ୟ ପ୍ରଦେଶରେ ୩୭୭, ଦିଲ୍ଲୀରେ ୬୫୦, ପଶ୍ଚିମବଙ୍ଗରେ ୩୫୫, ଉତ୍ତର ପ୍ରଦେଶରେ ୨୪୫, ରାଜସ୍ତାନରେ ୨୧୩, ତାମିଲନାଡୁରେ ୨୨୦, ତେଲେଙ୍ଗାନାରେ ୧୦୫, ଆନ୍ଧ୍ରପ୍ରଦେଶରେ ୭୧, କର୍ଣ୍ଣାଟକରେ ୫୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି |

ମୁମ୍ବାଇରେ ଗୁରୁବାର ଦିନ ୧୪୪୨ ନୂଆ ମାମଲା ସାମ୍ନାକୁ ଆସିଥିଲା | କେବଳ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୭୦୪ରେ ପହଞ୍ଚି ସାରିଛି | କେବଳ ମୁମ୍ବାଇରେ ୧୪୬୫ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି | ମହାନଗର ନିଗମ ଅନୁଯାୟୀ, ମୁମ୍ବାଇରେ ବର୍ତ୍ତମାନ ୨୫ ହଜାର ୧୪୧ ଜଣଙ୍କର ଚିକିତ୍ସା ଚାଲିଛି | ଗୁରୁବାର ଦିନ ୮୪୫ ସନ୍ଦିଗ୍ଧଙ୍କୁ ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସହରରେ ଏବେ ସୁଦ୍ଧା ୧୮ ହଜାର ୯୮ ରୋଗୀ ସୁସ୍ଥ ମଧ୍ୟ ହୋଇସାରିଛନ୍ତି | ଗତ ୨୪ ଘଣ୍ଟାରେ ୬୯୬ ରୋଗୀ ସୁସ୍ଥ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.